ତେଲକୋଇ: ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଚଳିତ ବର୍ଷ ତେଲକୋଇ ଅଞ୍ଚଳରେ ତରଭୁଜ ଚାଷ ବହୁଳ ଭାବେ ପ୍ରଭାବିତ ହୋଇଛି। ଚାଷୀଙ୍କ ଲାଭ ଏକର ପିଛା ୫୦ ହଜାରରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ କମିଯାଇଛି। ବିଗତ ବର୍ଷରେ ଚାଷୀ ଏକର ପିଛା ୪୦ ହଜାର ଟଙ୍କା ବ୍ୟୟ କରି ପାଖାପାଖି ୨ ଲକ୍ଷ ଟଙ୍କାର ତରଭୁଜ ବିକ୍ରି କରିଥିଲେ। ଚଳିତବର୍ଷ ଗୋଟିଏ ଏକର ଜମିରେ ୪୦ରୁ ୫୦ ହଜାର ଟଙ୍କା ବିନିଯୋଗ କରି ୧ ଲକ୍ଷ ୨୦ ହଜାରରୁ ଦେଢ଼ଲକ୍ଷ ଟଙ୍କା ମଧ୍ୟରେ ଉତ୍ପାଦନ ସୀମିତ ରହିଛି ବୋଲି ଚାଷୀ ପ୍ରକାଶ କରିଛନ୍ତି।

Advertisment

କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ଗ୍ରୀଷ୍ମକାଳୀନ ତରଭୁଜ ସାଙ୍ଗକୁ ଖରିଫ ଋତୁରେ ବ୍ୟାପକ ତରଭୁଜ ଚାଷ କରାଯାଇଥାଏ। ଏଠାରୁ ପଶ୍ଚିମବଙ୍ଗ, ଆସାମ, ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ ସହିତ ରାଜ୍ୟ ବାହାରକୁ ମଧ୍ୟ ତରଭୁଜ ପଠାଯାଇଥାଏ। ବିଗତ କିଛି ବର୍ଷ ହେଲା ପରୀକ୍ଷାମୂଳକ ଭାବେ ଶୀତଦିନେ (ଅଗଷ୍ଟରୁ ଅକ୍ଟୋବର-ନଭେମ୍ବର) ତରଭୁଜ ଚାଷ କରାଯାଉଛି। ଚଳିତବର୍ଷ ୧୫୦ ହେକ୍ଟର ପରିମିତ ଜମିରେ ‘ମଲ୍‌ଚିଙ୍ଗ୍’ (ପ୍ଲାଷ୍ଟିକ୍‌ ଜରି ଆଚ୍ଛାଦିତ) ପଦ୍ଧତିରେ ତରଭୁଜ ଚାଷ କରାଯାଇଛି। ଦେଉଳଡିହା, ଗୋଳାଗାଡ଼ିଆ, କନ୍ତଲେଇ, କୁଲାଡେରା, ଖୁଣ୍ଟାପଡ଼ା, ଗୋଣ୍ଡୁରିଯୋଡ଼ା, ଧନୁର୍ଜୟପୁର, ସଲେଇକେନା, ଜଟ, ଦୋବଲାପାଳ ଗ୍ରାମରେ ବ୍ୟାପକ ଭାବେ ତରଭୁଜ ଚାଷ ହୋଇଛି। ଅଗଷ୍ଟ ମାସରେ ଜମି ପ୍ରସ୍ତୁତ କରି ମଞ୍ଜି ପୋତାଯାଇଥିଲା। ବିନା ସରକାରୀ ସହାୟତାରେ ଚାଷୀମାନେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରି ଚାଷ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଅନେକ ଯୁବକ ଏହି ଚାଷ ପ୍ରତି ମନ ବଳାଉଥିଲେ ହେଁ ସରକାରୀସ୍ତରରେ ପ୍ରୋତ୍ସାହନ ମିଳୁନାହିଁ। ଫଳରେ କ୍ଷତି ହେଲେ ଚାଷୀ ହିଁ ସବୁ ବହନ କରୁଛି ବୋଲି ଯୁବଚାଷୀ ସୁଦର୍ଶନ ପରିଡ଼ା, ବିରେନ୍ଦ୍ର ସାହୁ, କୁଶ ପରିଡ଼ା, ବିଶ୍ବନାଥ ସାହୁ, ରମେଶ ସାହୁ, ଧନେଶ୍ୱର ନାୟକ କହିଛନ୍ତି। ଏଥର ଭଲ ଫଳ ହୋଇଥିଲେ ମଧ୍ୟ ତାହା ବଢ଼ୁନଥିବାରୁ ଓଜନ କମୁଛି। ପୂର୍ବରୁ ଗୋଟିଏ ତରଭୁଜର ଓଜନ ୭ କିଲୋ ପର୍ଯ୍ୟନ୍ତ ହେଉଥିଲା। ଏଥର ତାହା ୩ କିଲୋ ଭିତରେ ହେଉଥିବାରୁ ଲାଭ କମିଛି। କିଲୋ ପ୍ରତି ୧୮ରୁ ୨୩ ଟଙ୍କା ମଧ୍ୟରେ ସେମାନେ ବେପାରୀଙ୍କୁ ବିକ୍ରି କରୁଥିବା ସୂଚନା ଦେଇଛନ୍ତି। 

ଏ ବିଷୟରେ ତେଲକୋଇ ସହକାରୀ ଉଦ୍ୟାନ ଅଧିକାରୀ କରୁଣାରାଣୀ ଓରାମ କହିଛନ୍ତି ଯେ ଗତ ୫ବର୍ଷ ହେଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏ ଅଞ୍ଚଳର ଉଦ୍ୟାନକୃଷି ଉପରେ ପଡୁଛି। ଏଣୁ ଆମ୍ବ ଓ ତରଭୁଜ ଚାଷ ପ୍ରଭାବିତ ହେଉଛି।