ନୂଆଦିଲ୍ଲୀ : ଭାରତରେ ବାଘଙ୍କ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି। ୨୦୧୮ ବାଘ ଗଣନା ରିପୋର୍ଟରେ ଦେଶରେ ବାଘ ସଂଖ୍ୟା ୨୯୬୭ ରହିଥିଲା। କିନ୍ତୁ ୨୦୨୨ ବାଘ ଗଣନା ରିପୋର୍ଟରେ ଗତ ୪ ବର୍ଷରେ ଭାରତରେ ବାଘଙ୍କ ସଂଖ୍ୟାରେ ୨୦୦ ବୃଦ୍ଧି ହୋଇଛି। ଅର୍ଥାତ୍‌ ପୂର୍ବର ୨୦୧୮ ଗଣନା ତୁଳନାରେ ୨୦୨୨ ଗଣନାରେ ଦେଶରେ ବାଘଙ୍କ ସଂଖ୍ୟାରେ ୬.୭ ପ୍ରତିଶତ ବୃଦ୍ଧି ଘଟିଛି। ଏହା ପୂର୍ବରୁ ୨୦୦୬ରେ ଦେଶରେ ବାଘଙ୍କ ସଂଖ୍ୟା ୧୪୧୧ ଥିବାବେଳେ ୨୦୧୦ରେ ଏହା ୧୭୦୬କୁ ଏବଂ ୨୦୧୪ରେ ୨୨୨୬କୁ ବୃଦ୍ଧି ପାଇଥିଲା। ୨୦୦୬ରୁ ୨୦୨୨ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟାରେ ୧୨୪.୪୫ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଦେଶରେ ୨୦୦୬ରେ ବାଘ ଅଭୟାରଣ୍ୟ ସଂଖ୍ୟା ୨୮ ଥିବାବେଳେ ଏବେ ଏହା ୫୩ରେ ପହଞ୍ଚିଛି। ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘ ଥିବାବେଳେ କର୍ଣ୍ଣାଟକରେ ୫୨୪ ଏବଂ ଉତ୍ତରାଖଣ୍ଡରେ ୪୪୨ ବାଘ ଅଛନ୍ତି।

Advertisment

publive-image

କର୍ଣ୍ଣାଟକର ମହୀଶୂରରେ ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଘ ଗଣନା ରିପୋର୍ଟ ୨୦୨୨କୁ ଉନ୍ମୋଚନ କରିବା ସହିତ ଇଣ୍ଟରନ୍ୟାସନାଲ ବିଗ୍‌ କ୍ୟାଟ୍ ଆଲିଆନ୍ସ (ଆଇବିସିଏ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ଉକ୍ତ ୩ ଦିନିଆ ସମ୍ମିଳନୀରେ ଜଙ୍ଗଲର ୭ଟି ପ୍ରମୁଖ ପ୍ରାଣୀ ଯଥା ବାଘ, ସିଂହ, ଚିତା ବାଘ, କଲରା ପତରିଆ ବାଘ ଆଦିର ସୁରକ୍ଷା ଏବଂ ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯିବ। ଉକ୍ତ ମେଣ୍ଟରେ ପ୍ରାୟ ୯୭ଟି ଦେଶ ସଦସ୍ୟ ରହି ଉପରୋକ୍ତ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉପରେ କାର୍ଯ୍ୟ କରିବେ।

publive-image India Today

ସମ୍ମିଳନୀକୁ ଉଦ୍‌ଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାନ୍ଦିପୁର ବାଘ ଅଭୟାରଣ୍ୟ ସମେତ ଥେପାକାଡ଼ୁ ହାତୀ ଶିବିର ପରିଦର୍ଶନ କରିଥିଲେ। ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ ପୂରଣ ହୋଇଛି। ପ୍ରୋଜେକ୍ଟ ଟାଇଗରର ସଫଳତା କେବଳ ଭାରତ ନୁହେଁ ସାରା ବିଶ୍ବ ପାଇଁ। ଭାରତ କେବଳ ବାଘଙ୍କ ଜୀବନ ବଞ୍ଚାଇ ନାହିଁ ବରଂ ସେମାନଙ୍କ ବଞ୍ଚିବା ଲାଗି ଏକ ବଡ଼ ପରିସଂସ୍ଥାନ ସୃଷ୍ଟି କରିପାରିଛି। ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବା ସମୟରେ ବିଶ୍ବର ପ୍ରାୟ ୭୫ ପ୍ରତିଶତ ବାଘ ଭାରତରେ ଅଛନ୍ତି। ଏଥିସହିତ ଭାରତରେ ବ୍ୟାଘ୍ର ଅଭୟାରଣ୍ୟ ଅଞ୍ଚଳ ୭୫ ହଜାର ବର୍ଗ କିଲୋମିଟରରେ ପରିବ୍ୟାପ୍ତ ହୋଇଛି। ସମସ୍ତଙ୍କର ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ବାଘଙ୍କ ସଂଖ୍ୟା ସ୍ଥିର ରହିଥିବା କିମ୍ବା କମୁଥିବା ବେଳେ ଭାରତରେ ବାସ୍ତବରେ ଏହା ବଢ଼ୁଛି। ଜୈବବିବିଧତା ଏବଂ ପରିବେଶ ସହିତ ଆମର ପରମ୍ପରା ଏବଂ ସଂସ୍କୃତି ଜଡ଼ିତ ଥିବାରୁ ଏହା ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାଘଙ୍କ ସହିତ ସଂପର୍କ ହଜାର ହଜାର ବର୍ଷ ପୁରୁଣା। ୧୦ ହଜାର ବର୍ଷ ତଳର ବାଘ ଚିତ୍ର ମଧ୍ୟପ୍ରଦେଶର ଗୁମ୍ଫାରେ ଦେଖିବାକୁ ମିଳିଥାଏ। ଦେଶର ଜନଜାତି ସଂପ୍ରଦାୟର ଲୋକ ଏବଂ ବାଘଙ୍କ ମଧ୍ୟରେ ନିବିଡ଼ ସଂପର୍କ ରହିଛି। ଏପରିକି ଅନେକ ସଂପ୍ରଦାୟ ଏମାନଙ୍କୁ ଉପାସନା କରିଥାନ୍ତି।

publive-image Image Courtesy of NDTV

ଦେଶରେ ସିଂହ, କଲରା ପତରିଆ ବାଘ, ହାତୀ ଏବଂ ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡାଙ୍କ ସଂଖ୍ୟା ବଢ଼ିବାରେ‌ ଲାଗିଛି। ବିଶ୍ବରେ ଏସୀୟ ହାତୀ ଓ ଏକ ଶିଙ୍ଗିଆ ଗଣ୍ଡାଙ୍କ ସଂଖ୍ୟା ଭାରତରେ ସବୁଠୁ ଅଧିକ। ଏଥିସହିତ ଭାରତ ବିଶ୍ବର ଏକମାତ୍ର ଦେଶ ଯେଉଁଠି ଏସୀୟ ସିଂହ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ବ ଭୂଭାଗର ମାତ୍ର ୨.୪ ପ୍ରତିଶତ ଭାରତର ହୋଇଥିବା ବେଳେ ବନ୍ୟଜନ୍ତୁ ବିବିଧତାକୁ ଭାରତର ଯୋଗଦାନ ୮ ପ୍ରତିଶତ ରହିଛି। ଭାରତରେ ପ୍ରାୟ ୩୦ ହଜାର ହାତୀ ଅଛନ୍ତି। ବିଭିନ୍ନ ସଂରକ୍ଷଣ ପଦକ୍ଷେପ ଯୋଗୁ ଭାରତରେ ଏସୀୟ ସିଂହଙ୍କ ସଂଖ୍ୟା ବଢ଼ିଛି। ୨୦୧୫ରେ ଏସୀୟ ସିଂହଙ୍କ ସଂଖ୍ୟା ୫୨୫ ଥିବାବେଳେ ୨୦୨୦ରେ ଏହା ୬୭୫କୁ ବୃଦ୍ଧି ପାଇଛି। କଲରା ପତରିଆ ବାଘଙ୍କ ସଂଖ୍ୟା ମଧ୍ୟ ଦେଶରେ ଗତ ୪ ବର୍ଷ ମଧ୍ୟରେ ୬୦ ପ୍ରତିଶତ ବୃଦ୍ଧି ‌ଘଟିଛି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ବାଘମାନଙ୍କ ଉପରେ ଏକ ଭିଜନ ଡକ୍ୟୁମେଣ୍ଟ୍ ସମେତ ୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି।