ଦୀର୍ଘଦିନ ଧରି ଯୌନ ସଂପର୍କ ରଖିବାକୁ ନଦେବା ଏକ ନିର୍ଯାତନା: ଅହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ପତି କିମ୍ବା ପତ୍ନୀ କେହି କାହାରିକୁ ଦୀର୍ଘଦିନ ଧରି ଯଥାର୍ଥ କାରଣ ନଥାଇ ଯୌନ ସଂପର୍କ ରଖିବାକୁ ସୁଯୋଗ ‌ନଦେବା ଏକ ପ୍ରକାର ମାନସିକ ନିର୍ଯାତନା ବା ନିଷ୍ଠୁରତା। ଆହ୍ଲାବାଦ ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ବାରଣାସୀ ବାସିନ୍ଦା ରବୀନ୍ଦ୍ର ପ୍ରତାପ ଯାଦବଙ୍କ ବିବାହ ବିଚ୍ଛେଦ ପିଟିସନକୁ ପରିବାର ଅଦାଲତ ଖାରଜ କରିଦେଇଥିବାରୁ ଏହା ବିରୋଧରେ ସେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। ରବୀନ୍ଦ୍ରଙ୍କ ପତ୍ନୀ ତାଙ୍କ ସହ ବାସ କରିବାକୁ ମନା କରିବା ଏବଂ ବୈବାହିକ ଜୀବନର ଦାୟିତ୍ବ ସଂପାଦନ କରୁ ନଥିବାରୁ ସେ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ଆବେଦନ କରିଥିଲେ। ଚଳିତ ମାସ ୧୬ ତାରିଖରେ ବିଚାରପତି ସୁନୀତ କୁମାର ଏବଂ ବିଚାରପତି ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ଉକ୍ତ ବିବାହ ବିଚ୍ଛେଦକୁ ଅନୁମତି ଦେବା ସହିତ କହିଛନ୍ତି ଯେ ପରିବାର ଅଦାଲତ ଏକ ହାଇପର ଟେକ୍ନିକାଲ ଆଭିମୁଖ୍ୟ ଗ୍ରହଣ କରି ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ଆବେଦନକାରୀଙ୍କ କହିବାନୁଯାୟୀ, ୧୯୭୯ ମସିହା ମେ ମାସରେ ସେମାନଙ୍କର ବାହାଘର ହୋଇଥିଲା। କିଛିଦିନ ପରେ ତାଙ୍କ ପତ୍ନୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା ଏବଂ ସେ ତାଙ୍କ ସହିତ ରହିବାକୁ ମନା କରିଥିଲେ। ଏହା ପରେ ପତ୍ନୀ ତାଙ୍କ ବାପଘରେ ରହିଥିଲେ। ବିବାହର ୬ ମାସ ପରେ ସେ ପତ୍ନୀଙ୍କୁ ତାଙ୍କ ନିକଟକୁ ଆସିବା ପାଇଁ ବୁଝାଇଥିଲେ। କିନ୍ତୁ ସେ ମନା କରିଦେଇଥିଲେ। ୧୯୯୪ ଜୁଲାଇରେ ଗ୍ରାମରେ ପଞ୍ଚାୟତ ବସି ମିଳିତ ସହମତିରେ ବି‌ବାହ ବିଚ୍ଛେଦ ହୋଇଥିଲା। ଏ ବାବଦରେ ସେ ପତ୍ନୀଙ୍କୁ ୨୨ ହଜାର ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ବିବାହ ବିଚ୍ଛେଦ ଘୋଷଣାନାମା ଦେବାଲାଗି ସ୍ବାମୀ ପତ୍ନୀଙ୍କୁ ଡାକିଥିଲେ ମଧ୍ୟ ସେ ଅଦାଲତକୁ ଆସି ନଥିଲେ। ଫଳରେ ବାରଣାସୀ ପରିବାର ଅଦାଲତର ପ୍ରିନ୍ସିପାଲ ଜଜ୍‌ ତାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି ଦେଇଥିଲେ।

ସମ୍ବନ୍ଧିତ ଖବର