ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୩ରେ ହେବାକୁ ଥିବା ବେଳେ ଇତି ମଧ୍ୟରେ ୨ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଶେଷ ବିତର୍କ ଗତକାଲି ହୋଇସାରିଛି। ତେବେ ଡିମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଆଜି ଭାରତୀୟ -ଆମେରିକୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ବର୍ଷିଛନ୍ତି ଏବଂ ଏଥିସହ ସେ ଭାରତ ସହ ବିଭିନ୍ନ ପ୍ରସଙ୍ଗରେ କାମ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ବାଇଡେନ୍ କହିଛନ୍ତି, ଯଦି ସେ ହ୍ବାଇଟ୍ ହାଉସ୍କୁ ନିର୍ବାଚିତ ହୁଅନ୍ତି ତେବେ ସେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଭାରତ ସହ କାମ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ଏସିଆରେ ଚୀନ୍ର ଦାଦାଗିରିକୁ ମଧ୍ୟ ଦୃଢ଼ ବିରୋଧ କରାଯିବ ବୋଲି ବାଇଡେନ୍ କହିଛନ୍ତି। ଭାରତ ଏବଂ ଆମେରିକା ଆତଙ୍କବାଦ ହଟାଇବା ଦିଗରେ ଏକାଠି କାମ କରିବେ ଏବଂ ଏଥିସହ ଏସିଆରେ ଶାନ୍ତି ଓ ସ୍ଥିରତା ବଢ଼ାଇବା ଦିଗରେ କାର୍ଯ୍ୟ କରିବେ। ଏହାଦ୍ବାରା ଚୀନ୍ କିମ୍ବା ଅନ୍ୟ କୌଣସି ରାଷ୍ଟ୍ର ପଡ଼ୋଶୀଙ୍କୁ ଧମକାଇବାପାଇଁ ସାହସ ମଧ୍ୟ କରିବେନାହିଁ। ବାଇଡେନ୍ କହିଛନ୍ତି ସେ ସବୁ ସମୟରେ ଭାରତୀୟ- ଆମେରିକୀୟ ସମ୍ପ୍ରଦାୟ ସହ ଉତ୍ତମ ଭାବେ ଜଡ଼ିତ ବୋଲି ଅନୁଭବ କରନ୍ତି। ଦୁଇ ରାଷ୍ଟ୍ର ଭାରତ ଏବଂ ଆମେରିକା ମଧ୍ୟରେ ସର୍ବାଦା ଆଶା ଏବଂ ଭରସା ଥିବା ଭଳି ଅନୁଭବ ହୁଏ।
ଉଭୟ ଭାରତ ଏବଂ ଆମେରିକାରେ ମଧ୍ୟମ ବର୍ଗର ଲୋକଙ୍କ ବିକାଶ ସହ ବଜାର ଖୋଲିବାପାଇଁ ବାଇଡେନ୍ ପ୍ରତିଶ୍ରୁତିବଦ୍ଧ। ଜଳବାୟୁ ପରିବର୍ତ୍ତନ, ବୈଶ୍ବିକ ସ୍ବାସ୍ଥ୍ୟ, ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଏବଂ ପରମାଣୁ ପ୍ରସାର ଭଳି ବିଭିନ୍ନ ଅନ୍ତର୍ଜାତୀୟ ଚ୍ୟାଲେଂଜ ବିରୋଧରେ ସେ ଭାରତ ସହ କାମ କରିବେ ବୋଲି ବାଇଡେନ୍ କହିଛନ୍ତି। ବାଇଡେନ୍ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି ଯେ, ଟ୍ରମ୍ପ୍ଙ୍କ ବୟାନବାଜି ପାଇଁ ଭାରତୀୟ-ଆମେରିକୀୟଙ୍କ ବିରୋଧରେ ଘୃଣା ଅପରାଧ ବଢ଼ିଛି।