ନୂଆଦିଲ୍ଲୀ : ଗୁଜରାଟର ୬୮ ନ୍ୟାୟିକ ଅଧିକାରୀଙ୍କୁ ଜିଲ୍ଲା ବିଚାରପତି ଭାବେ ପଦୋନ୍ନତି ଦେବା ଉପରେ ଆଜି ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ଏହି ୬୮ ଜଣଙ୍କ ମଧ୍ୟରେ ସୁରଟ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ହରିଶ ହସମୁଖଭାଇ ବର୍ମା ଅଛନ୍ତି। ସିଜେଏମ୍‌ ହରିଶ ବର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅପରାଧିକ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ କରିଥିଲେ। ଜଷ୍ଟିସ ଏମଆର ଶାହ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ ନ୍ୟାୟିକ ଅଧିକାରୀଙ୍କୁ ଜିଲ୍ଲା ବିଚାରପତି ଭାବେ ପଦୋନ୍ନତି ସଂକ୍ରାନ୍ତ ଗୁଜରାଟ ହାଇକୋର୍ଟଙ୍କ ସୁପାରିସ ଏବଂ ଏହି ସୁପାରିସକୁ କାର୍ଯ୍ୟକାରୀ କରିବାପାଇଁ ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ରହିତା‌ଦେଶ ଲଗାଇବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଝଟ୍‌କା ହୋଇଛି। ଉକ୍ତ ପଦୋନ୍ନତିର ବୈଧତା ପ୍ରସଙ୍ଗ ବିଚାରାଧୀନ ଥିବାବେଳେ ଏହି ସମୟରେ ସରକାର ପଦୋନ୍ନତି ପାଇଁ ବିଜ୍ଞପ୍ତି ଜାରି କରିବାରୁ କୋର୍ଟ ଏଥିପାଇଁ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।

Advertisment

ଖଣ୍ଡପୀଠ କହିଛନ୍ତି, ୨୦୧୧ରେ ସଂଶୋଧନ ହୋଇଥିବା ଗୁଜରାଟ ରାଜ୍ୟ ନ୍ୟାୟିକ ସେବା ନିୟମ ୨୦୦୫ ଅନୁଯାୟୀ ପଦୋନ୍ନତି ସବୁବେଳେ ଯୋଗ୍ୟତା ଏବଂ ବରିଷ୍ଠତା ଅଧାରାରେ କରାଯାଇଥାଏ। ଗୁଜରାଟ ହାଇକୋର୍ଟଙ୍କ ଦ୍ବାରା ପଦୋନ୍ନତି ପାଇଁ କରାଯାଇଥିବା ସୁପାରିସ ଏବଂ ଗୁଜରାଟ ସରକାର ଏନେଇ ବିଜ୍ଞପ୍ତି ଜାରି କରିବାକୁ କୋର୍ଟ ବେଆଇନ ବୋଲି କହିଛନ୍ତି। କୋର୍ଟ ୬୮ ବିଚାରପତିଙ୍କ ପଦୋନ୍ନତିକୁ ଅଟକାଇବା ସହ ଯେଉଁମାନଙ୍କୁ ପଦୋନ୍ନତି ଦିଆଯାଇଥିଲା ସେମାନଙ୍କୁ ପୁଣିଥରେ ପୂର୍ବ ପଦବିରେ ଅବସ୍ଥାପିତ କରାଇବା ପାଇଁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୬୮ ନ୍ୟାୟିକ ଅଧିକାରୀଙ୍କ ପଦୋନ୍ନତିକୁ ବରିଷ୍ଠ ସିଭିଲ୍‌ ବିଚାରପତି କ୍ୟାଡରର ୨ଜଣ ନ୍ୟାୟିକ ଅଧିକାରୀ ଚ୍ୟାଲେଂଜ କରିଥିଲେ। ୬୫ ପ୍ରତିଶତ କୋଟା ନିୟମ ଅନୁଯାୟୀ ସେମାନେ ଏହି ପଦୋନ୍ନତିକୁ ଚ୍ୟାଲେଂଜ କରିଥିଲେ। ସେମାନେ ଯୋଗ୍ୟତା ଏବଂ ବରିଷ୍ଠତା ଆଧାରରେ ଆଉ ଏକ ସଦ୍ୟ ତାଲିକା ପ୍ରସ୍ତୁତ କରିବାପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଏପ୍ରିଲ ୧୩ ତାରିଖରେ ଗୁଜରାଟ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ। କିନ୍ତୁ ମାମଲା କୋର୍ଟରେ ବିଚାରାଧୀନ ଥାଇ ୬୮ ଅଫିସରଙ୍କୁ ପଦୋନ୍ନତି ଦିଆଯାଇଥିଲା। କୋର୍ଟ ଏହାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି।