ମଥୁରାରେ ଶଙ୍କରାଚାର୍ଯ୍ୟଙ୍କ ନାଁ’ରେ ଅପପ୍ରଚାର

ପ୍ରଧାନମନ୍ତ୍ରୀ, ଯୋଗୀ ସରକାର ଉପରେ ବର୍ଷିଲେ ଜଗଦଗୁରୁ
ସ୍ୱାମୀ ଅଧୋକ୍ଷଜାନନ୍ଦଙ୍କୁ ପୁରୀ ଶଙ୍କରାଚାର୍ଯ୍ୟ କହିଲେ ମନ୍ତ୍ରୀ

ପୁରୀ : ଉତ୍ତରପ୍ରଦେଶର ମଥୁରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାମୀ ଅଧୋକ୍ଷଜାନନ୍ଦ ନିଜକୁ ପୁରୀ ଶଙ୍କରାଚାର୍ଯ୍ୟ ଭାବେ ପରିଚୟ ଦେବା ଘଟଣାକୁ କେନ୍ଦ୍ର କରି ବିବାଦ ମୁଣ୍ଡ ଟେକିଛି। ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଏହାର ଦୃଢ଼ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁପି ସରକାର ଉପରେ ଭୀଷଣ ବର୍ଷିଛନ୍ତି। ଏହା ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି।

ମଥୁରାରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସ୍ବାମୀ ଅଧୋକ୍ଷଜାନନ୍ଦ ଯୋଗ ଦେଇଥିଲେ। ଯେଉଁଠି ତାଙ୍କୁ ପୁରୀ ଶଙ୍କରାଚାର୍ଯ୍ୟ କହି ନେତା ଓ ମନ୍ତ୍ରୀମାନେ ସ୍ବାଗତ ଜଣାଇଥିଲେ। ଏହା ଉପରେ ଚିଠି ଲେଖି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ କହିଛନ୍ତି, କେନ୍ଦ୍ର ତଥା ରାଜ୍ୟ ସରକାର ମୋର ଶାନ୍ତିପ୍ରିୟତାକୁ କେବେ‌ ବି ଦୁର୍ବଳତା ନ ଭାବନ୍ତୁ। ନିଜକୁ ପୁରୀ ଶଙ୍କରାଚାର୍ଯ୍ୟର ପରିଚୟ ଦେଇ ଅରାଜକତା ସୃଷ୍ଟି କରିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ନକଲି ମୁଖ୍ୟମନ୍ତ୍ରୀ, ନକଲି ପ୍ରଧାନମନ୍ତ୍ରୀ, ନକଲି ଦଲାଇଲାମା, ନକଲି ପୋପ ଯେ ଭଳି ଗ୍ରହଣୀୟ ନୁହେଁ, ସେଭଳି ନକଲି ଶଙ୍କରାଚାର୍ଯ୍ୟ ପରିଚୟ ଗ୍ରହଣୀୟ ନୁହେଁ। ଧର୍ମ ନାଁ’ରେ ଏଭଳି ଅରାଜକତାକୁ ପ୍ରଶ୍ରୟ ଦେବା ରାଷ୍ଟ୍ରର ଅସ୍ତିତ୍ବ ତଥା ଆଦର୍ଶ ପାଇଁ ବି ଘାତକ। ଯଦି ଆପଣ ଏହି ଚର୍ଚ୍ଚିତ ଅରାଜକତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତା’ ହେଲେ ମାନବାଧିକାରର ସୀମାରେ ରହି କେବେ ବି ନିଜ ଦାୟିତ୍ବ ନିର୍ବାହ କରିବାରେ ପଛକୁ ହଟିବି ନାହିଁ। ଚିଠିରେ ଜଗଦଗୁରୁ ଯୋଗୀ ସରକାରଙ୍କୁ ବି ତାତ୍ସଲ୍ୟ କରିଛନ୍ତି। ଉତ୍ତରପ୍ରଦେଶରେ ଏଭଳି ଏକ ଘୃଣ୍ୟ ଘଟଣା ଘଟି ଯାଇଥିବାବେଳେ ଏ ଦିଗରେ ଯୋଗୀ ସରକାର କାହିଁକି ନିରବ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ବିଚାର କରି କାର୍ଯ୍ୟାନୁଷ୍ଠାନ ପାଇଁ ଜଗଦଗୁରୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର