ରାଞ୍ଚି: ପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ ନିଲମ୍ବିତା ବିଜପେି ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟ ଯୋଗୁଁ ରାଞ୍ଚିରେ ପ୍ରତିବାଦ ବେଳେ ଘଟିଥିବା ହିଂସାକାଣ୍ଡରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୧୦ଜଣ ଆହତ ହୋଇଛନ୍ତି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ପ୍ରତିବାଦ ବେଳେ ପୁଲିସ ସହିତ ସଂଘର୍ଷ କରି ଆହତ ହେବା ପରେ ଡାକ୍ତରଖାନାକୁ ଅଣାଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ‘ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ର କର୍ତ୍ତୃପକ୍ଷମାନେ ସୁନିଶ୍ଚିତ କରି କହିଛନ୍ତି। ବାକି ୧୦ଜଣ ଆହତଙ୍କର ଚିକିତ୍ସା ଚାଲିଛି।

ଗତକାଲି ପ୍ରତିବାଦକାରୀମାନେ ପୁଲିସ ସହିତ ସଂଘର୍ଷ କରିବା ପରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଅନେକ ପ୍ରାନ୍ତରେ କର୍ଫ୍ୟୁ ଜାରି କରାଯାଇଛି। ନୂପୁର ଶର୍ମାଙ୍କୁ ଗିରଫ କରାଯାଉ ବୋଲି ପ୍ରତିବାଦକାରୀମାନେ ଦାବି କରିଥିଲେ। ଟେକାପଥର ଫିଙ୍ଗିବାରୁ ପ୍ରତିବାଦକାରୀମାନଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଫାଙ୍କା ଗୁଳି ଚାଳନା କରିବା ସହ ଲାଠି ଚାର୍ଜ କରିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ବହୁସଂଖ୍ୟକ ପ୍ରତିବାଦକାରୀ ରାଞ୍ଚିର ମୁଖ୍ୟ ରାସ୍ତା ଉପରେ ସମବେତ ହୋଇ ନୂପୁର ଶର୍ମ ଏବଂ ନବୀନ ଜିନ୍ଦଲ୍ଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ପ୍ରତିବାଦ ପ୍ରଦର୍ଶନସ୍ବରୂପ ସହରର ଅନେକ ଦୋକାନ ବନ୍ଦ ରହିଛି।
ସହରର ପୁଲିସ ମୁଖ୍ୟ ଅଂଶୁମାନ କୁମାର ସୁନିଶ୍ଚିତ କରି କହିଛନ୍ତି ଯେ, ଗୁଳିଚୋଟରେ ୨ଜଣଙ୍କର ମୃତ୍ୟୁ ଘଟିଛି। ୮ଜଣ ପ୍ରତିବାଦକାରୀ ଏବଂ ୪ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ‘ରିମ୍ସ୍’ ଏବଂ ଅନ୍ୟ ଡାକ୍ତରଖାନାମାନଙ୍କରେ ଚିକିତ୍ସା କରାଯାଉଛି। ଆମେ ପ୍ରଥମେ ହିଂସାକାଣ୍ଡର ସମ୍ପୃକ୍ତଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜେରା କରିବା ପରେ ତାଙ୍କୁ ଗରିଫ କରିବୁ। ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ପ୍ରଭାବିତ ଅଞ୍ଚଳରେ କଟକଣା ବଳବତ୍ତର ରହିଛି।