ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପ୍ରଫେଟ୍ ପ୍ରସଙ୍ଗ ଉଠିନଥିଲା : ଭାରତ

ନୂଆଦିଲ୍ଲୀ : ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋସେନ ଅମିର-ଅବଦୋଲାହିଆନଙ୍କ ଭାରତ ଗସ୍ତ କାଳରେ ପ୍ରଫେଟ ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହୋଇନଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ  ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ.ଜୟଶଙ୍କରଙ୍କ ସାକ୍ଷାତ କାଳରେ ବିଜେପିର ଦୁଇ ପୂର୍ବତନ ମୁଖପାତ୍ରଙ୍କ ଦ୍ବାରା ଦିଆଯାଇଥିବା ବିବାଦୀୟ ବୟାନ ସଂପର୍କରେ କୌଣସି ଆଲୋଚନା ହୋଇନଥିଲା ।

ଉକ୍ତ ବୟାନ ଓ ଟୁଇଟ ଭାରତ ସରକାରଙ୍କ ମତ ନୁହେଁ ଓ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଇରାନ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଅବଦୋଲାହିଆନ ଓ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ବୈଠକ ବେଳେ ପ୍ରଫେଟଙ୍କ ସମ୍ପର୍କରେ ବିବାଦୀୟ ବୟାନ ପ୍ରସଙ୍ଗ ଉଠିଥିଲା । ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଜିତ ଡୋଭାଲ କହିଥିବା ଇରାନ କହିଥିଲା ।

ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ଇରାନ ସମେତ ବିଶ୍ବର ଅଧିକାଂଶ ମୁସଲିମ ଦେଶ ଏହାକୁ ନିନ୍ଦା କରିଛନ୍ତି । ଏହା ପରେ ଗତ ରବିବାରଦିନ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା ।

ସମ୍ବନ୍ଧିତ ଖବର