ପ୍ରଫେଟ୍‌ ବିବାଦ: ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପ୍ରସାରଣ କରିଥିବାରୁ ଅୱେସି ଓ ନୂପୁର ଶର୍ମାଙ୍କ ନାମରେ ‘ଏଫ୍‌ଆଇଆର୍‌’

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପ୍ରସାରଣ କରିଥିବାରୁ ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅସାଦୁଦ୍ଦିନ୍‌ ଅୱେସି, ସ୍ବାମୀ ଯଦି ନରସିଂହାନନ୍ଦ, ନୂପୁର ଶର୍ମା, ନବୀନ ଜିନ୍ଦଲ୍‌ ଏବଂ ସାମ୍ବାଦିକ ସବା ନକ୍‌ବି ଏବଂ ଆଉ କେତେଜଣ ବ୍ୟକ୍ତିଙ୍କ ନାମରେ ଦିଲ୍ଲୀ ପୁଲିସ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଛି।

ଦିଲ୍ଲୀ ପୁଲିସ ପଞ୍ଜିକରଣ କରିଥିବା ଦୁଇଟି ‘ଏଫ୍‌ଆଇଆର୍‌’ରୁ ଗୋଟିଏ ନୂପୁର ଶର୍ମାଙ୍କ ନାମରେ ଏବଂ ଅନ୍ୟଟି ନିରବଚ୍ଛିନ୍ନ ବିବାଦୀୟ ମନ୍ତବ୍ୟ ଦେଉଥିବା ବ୍ୟକ୍ତି  ନବୀନ ଜିନ୍ଦଲ୍‌, ଶାଦବ ଚୌହାନ, ସବା ନକ୍‌ବି, ମୌଲାନା ମୁଫ୍‌ତି ନଦୀମ୍, ଅବ୍‌ଦୁର୍‌ ରେହମାନ୍‌, ଗୁଲ୍‌ଜାର୍‌ ଆନ୍‌ସାରି ଏବଂ ଅନୀଲ କୁମାର ମୀନାଙ୍କ ବିରୋଧରେ ଦାଏର କରାଯାଇଛି। କେତେକ ସଙ୍ଗଠନକୁ ଉସୁକାଇବା ଏବଂ ଦେଶର ସର୍ବସାଧାରଣ ସ୍ଥିରତା ପ୍ରତି କ୍ଷତିକାରକ ପରିସ୍ଥିତି ସୃଷ୍ଟି କରିବା କାରଣରୁ ଦିଲ୍ଲୀ ପୁଲିସ ସ୍ପେସାଲ୍‌ସେଲ୍‌ର ‘ଇଣ୍ଟେଲିଜେନ୍‌ସ୍‌ ଫ୍ୟୁଜନ୍‌ ଆଣ୍ଡ୍‌ ‌ଷ୍ଟ୍ରାଟେଜିକ୍‌ ଅପରେସନ୍‌’ (ଆଇଏଫ୍‌ଏସ୍‌ଓ) ୟୁନିଟ୍‌ ଏହି ‌ବ୍ୟକ୍ତିବିଶେଷଙ୍କ ନାମରେ ଉକ୍ତ ‘ଏଫ୍‌ଆଇଆର୍‌’ ରୁଜୁ କରିଛି।

Image Courtesy of India Today

ଡେପୁଟି ପୁଲିସ କମିସନର୍‌ କେ.ପି.ଏସ୍‌. ମାଲହୋତ୍ରା କହିଛନ୍ତି, ସାଇବର୍‌ସ୍ପେସ୍‌ରେ ଅସ୍ଥିରତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଥ୍ୟା ଏବଂ ଭୁଲ୍‌ ସୂଚନା ପ୍ରସାରଣ କରୁଥିବା କେତେକ ସାମାଜିକ ଗଣମାଧ୍ୟମ ସତ୍ତାର ଭୂମିକା ସଂକ୍ରାନ୍ତରେ ଏହି ୟୁନିଟ୍‌ ତଦନ୍ତ କରିବ।

ଏଥିପାଇଁ ସାମାଜିକ ଗଣମାଧ୍ୟମର ‘ଇଣ୍ଟର୍‌ମିଡିଆରି’ମାନଙ୍କ ନିକଟକୁ ନୋଟିସ ଜାରି କରିଛି। ସାମାଜିକ ଏବଂ ସାମ୍ପ୍ରଦାୟିକ ସହାବସ୍ଥାନରେ ବିଭ୍ରାଟ କରିବା ଭଳି କୌଣସି ପୋଷ୍ଟ୍‌ କରିବାରୁ ବିରତ ରହିବାକୁ ଦିଲ୍ଲୀ ପୁଲିସ ସମସ୍ତଙ୍କୁ ନିବେଦନ କରିଛି।

ସମ୍ବନ୍ଧିତ ଖବର