ତାଲିବାନକୁ କ୍ଷମତାରେ ଅଂଶୀଦାର ହେବାକୁ ପ୍ରସ୍ତାବ, ହିଂସା ରୋକିବାକୁ ଆଫଗାନ୍‌ ରାଷ୍ଟ୍ରପତି ଘନିଙ୍କ ଯୋଜନା

କାବୁଲ: ଆଫଗାନିସ୍ତାନର ୮୫ ପ୍ରତିଶତ ଅଂଚଳ ତାଲିବାନ ଦଖଲକୁ ଚାଲିଯାଇଥିବା ବେଳେ ୬୫ ପ୍ରତିଶତ ଗୁରୁତ୍ବପୂର୍ଣ୍ଣ ଅଂଚଳରେ ତାଲିବାନର ଶାସନ ଆରମ୍ଭ ହୋଇଯାଇଛି। ଏବେ ‌ବିଭିନ୍ନ ଅଂଚଳରେ ଲୋକେ ତାଲିବାନର ନୀତିକୁ ଗ୍ରହଣ କରିଛନ୍ତି ଏବଂ ଧଳା ପତାକା ଧରି ତାଲିବାନ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି। ଖୁବ୍‌ଶୀଘ୍ର ରାଜଧାନୀ କାବୁଲ ତାଲିବାନ ଦଖଲକୁ ଚାଲିଯିବା ଆଶଙ୍କା ପ୍ରକାଶ ପାଇଥିବା ବେଳେ ହିଂସା ରୋକିବାକୁ ରାଷ୍ଟ୍ରପତି ଅସରଫ୍‌ ଘନି ଏବେ ନୂଆ ପ୍ରସ୍ତାବ ଦେଇଛନ୍ତି। ଦୋହାରେ ଶାନ୍ତି ଆଲୋଚନା ବେଳେ ତାଲିବାନ ହିଂସା ଛାଡ଼ି କ୍ଷମତାରେ ଅଂଶୀଦାର ହେବାକୁ ଘନି ସରକାର ପ୍ରସ୍ତାବ ଦେଇଥିବା ଏଏଫ୍‌ପି ରିପୋର୍ଟ କରିଛି । ତାଲିବାନ ଦ୍ବାରା ଚାଲିଥିବା ହିଂସା ଓ ଆକ୍ରମଣକୁ ରୋକିବାରେ ଆଫଗାନ ସେନା ସମର୍ଥ ହେଉନଥିବା ବେଳେ ଏହାକୁ ରୋକିବା ପାଇଁ ତାଲିବାନ ସହିତ ବଡ଼ ଧରଣର ବୁଝାମଣା ନିମନ୍ତେ ଘନି ସରକାର ପ୍ରସ୍ତୁତ ହେଉଥିବା ଏଥିରୁ ସ୍ପଷ୍ଟ ହୋଇଛି।

ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ପରେ ଏବେ ଘନିଙ୍କ ପାଖରେ ସୀମିତ ବିକଳ୍ପ ରହିଛି । ଆଫ୍‌ଗାନ ଶାନ୍ତି ପ୍ରକ୍ରିୟାର ମଧ୍ୟସ୍ଥି ରାଷ୍ଟ୍ର କତାର ମାଧ୍ୟମରେ ତାଲିବାନକୁ ନୂଆ ଶାନ୍ତି ପ୍ରସ୍ତାବ ଦିଆଯିବା ସହ ତୁରନ୍ତ ହିଂସା ରୋକିବାକୁ ଆହ୍ବାନ ଦିଆଯାଇଛି। ତେବେ ତାଲିବାନ ଏହି ପ୍ରସ୍ତାବ ନେଇ କୌଣସି ଜବାବ ରଖିନାହିଁ। ଆଉ ମାତ୍ର ୯୦ ଦିନ ମଧ୍ୟରେ ସଂପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନ୍‌ ନିଜ ଦଖଲକୁ ନେବ ବୋଲି ଆମେରିକାର ଏକ ଗୁଇନ୍ଦା ରିପୋର୍ଟରେ କୁହାଯିବା ପରେ ଘନି ସରକାର ତାଙ୍କ ପୂର୍ବ ରଣନୀତିକୁ ବଦଳାଇ ଦେଇଛନ୍ତି। ବିଗତ ୩ ସପ୍ତାହ ମଧ୍ୟରେ ଆଫଗାନିସ୍ତାନର ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରଦେଶର ରାଜଧାନୀ ତାଲିବାନ ଦଖଲକୁ ଯାଇଛି ଏବଂ ଗତକାଲି ଗଜନୀକୁ ମଧ୍ୟ ତାଲିବାନ ବାହିନୀ ଅକ୍ତିଆର କରିନେଇଛନ୍ତି। କାବୁଲ ପାଇଁ ଏବେ ସିଧାସଳଖ ବଡ଼ ବିପଦ ନଥିଲେ ମଧ୍ୟ ଗଜନୀ ଉପରୁ ଆଫଗାନ ସେନା ନିୟନ୍ତ୍ରଣ ହରାଇବା ପରେ ବିପଦ ବହୁଗୁଣରେ ବଢ଼ିଯାଇଛି। ହଜାର ହଜାର ଲୋକ ଘରଦ୍ବାର ଛାଡ଼ି ଅନ୍ୟତ୍ର ପଳାଇଛନ୍ତି।

ସମ୍ବନ୍ଧିତ ଖବର