ସୁପ୍ରିମ୍‌କୋର୍ଟ ଓକିଲଙ୍କୁ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରସ୍ତାବ: ପ୍ରଧାନ ବିଚାରପତି ପ୍ରସ୍ତାବରେ ରାଜି: ଏସ୍‌ସିବିଏ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ଆଇନଜୀବୀମାନଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ କରିବା ଲାଗି ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ (ଏସ୍‌ସିବିଏ) ଦ୍ବାରା ଆଗତ ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି ରମଣା ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ହାଇକୋର୍ଟମାନଙ୍କର ମୁଖ୍ୟ ବିଚାରପତିମାନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିବା ଆଇନଜୀବୀମାନଙ୍କୁ ବିଚାରପତି ନିଯୁକ୍ତି ପାଇଁ ବିଚାର କରିବାକୁ ଅନୁରୋଧ କରିଛନ୍ତି। ଏସ୍‌ସିବିଏର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଆସୋସିଏସନ୍‌ର ସଦସ୍ୟମାନଙ୍କୁ ଏହି ସୂଚନା ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ର ସଦସ୍ୟମାନଙ୍କୁ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି, ଗତ ମାସ ୩୧ରେ ତାଙ୍କଦ୍ବାରା ତଥା ପରିଚାଳନା କମିଟି ଦ୍ବାରା ପ୍ରଧାନ ବିଚାରପତିଙ୍କୁ ଏ ସଂପର୍କିତ ପ୍ରସ୍ତାବ ଦିଆଯାଇଥିଲା। ସୁପ୍ରିମ୍‌କୋର୍ଟରେ ବହୁ ସଂଖ୍ୟାରେ ମହିଳା ଆଇନଜୀବୀ ଓକିଲାତି କରୁଥିବାରୁ ସେମାନଙ୍କର ପଦୋନ୍ନତି ପାଇଁ ମଧ୍ୟ ପ୍ରଧାନ ବିଚାରପତିଙ୍କୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ସିଂହ ସୂଚିତ କରିଥିଲେ।

ସୁପ୍ରିମ୍‌କୋର୍ଟ ଆଇନଜୀବୀମାନଙ୍କୁ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରସ୍ତାବ ଉପରେ ସବୁଜ ସଂକେତ ମିଳିସାରିବା ପରେ ଏସ୍‌ସିବିଏର କାର୍ଯ୍ୟକାରୀ କମିଟି ଦ୍ବାରା ସୁପ୍ରିମ୍‌କୋର୍ଟରେ ଓକିଲାତି କରୁଥିବା ଯୋଗ୍ୟ ଆଇନଜୀବୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ନାମକୁ ହାଇକୋର୍ଟ କଲେଜିୟମ୍‌କୁ ସୁପାରିଶ କରିବା ପାଇଁ ୭ଜଣ ବରିଷ୍ଠ ଆଇନଜୀବୀଙ୍କୁ ନେଇ ଏକ ସର୍ଚ୍ଚ କମିଟି ଗଠନ କରାଯାଇଛି। ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ବିକାଶ ସିଂହ, ଉପସଭାପତି ପ୍ରଦାପ କୁମାର ରାଏଙ୍କ ସମେତ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ, ରାକେଶ ଦ୍ବିବେଦୀ, ଶେଖର ନାପାଡେ, ବିଜୟ ହାଁସାରିଆ ଓ ଭି. ଗିରି ସର୍ଚ୍ଚ କମିଟିର ସଦସ୍ୟ ରହିଛନ୍ତି।

ହାଇକୋର୍ଟ ବିଚାରପତି ନିଯୁକ୍ତି ଏକ ଜଟିଳ ପ୍ରକ୍ରିୟା। ହାଇକୋର୍ଟ ବିଚାରପତି ପଦ ପାଇଁ ନାମ ସୁପାରିଶ କରିବାକୁ ମୁଖ୍ୟ ବିଚାରପତିଙ୍କ ସହିତ ଦୁଇ ବରିଷ୍ଠ ବିଚାରପତିଙ୍କୁ ନେଇ କଲେଜିୟମ୍‌ ଗଠିତ ହୋଇଥାଏ। କଲେଜିୟମ୍‌ରେ ପ୍ରସ୍ତାବିତ ନାମକୁ ନେଇ ଆଲୋଚନା ପରେ ସହମତି ଆଧାରରେ ନାମ ସୁପାରିଶ କରାଯାଇଥାଏ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଓ ଦୁଇ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍‌ ଏହି ପ୍ରସଂଗରେ ଚର୍ଚ୍ଚା କରି କେନ୍ଦ୍ର ସରକାରଙ୍କୁ ନାମ ଅନୁମୋଦନ କରିଥାନ୍ତି। ହେଲେ ପ୍ରଥମଥର ପାଇଁ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ ଦ୍ବାରା ବିଚାରପତି ନିଯୁକ୍ତି ନେଇ ସୁପାରିଶ କରାଯିବା ସ୍ଥତିରେ ହାଇକୋର୍ଟ କଲେଜିୟମ୍‌ଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ନଜର ରହିବା ସ୍ବାଭବିକ।

ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ହାଇକୋର୍ଟରେ ସମୁଦାୟ ୪୧୮ଟି ବିଚାରପତି ପଦ ଖାଲି ପଡିଛି। ଓଡିଶା ହାଇକୋର୍ଟରେ ବର୍ତ୍ତମାନ ୧୨ଟି ବିଚାରପତି ପଦ ଖାଲି ପଡିଛି, ଦୁଇ ମାସ ଭିତରେ ଆଉ ଦୁଇଟି ପଦ ଖାଲି ପଡିବ। ହାଇକୋର୍ଟମାନଙ୍କରେ ଖାଲି ପଡିରହିଥିବା ବିଚାରପତି ପଦ ପୂରଣ ପାଇଁ ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ପତ୍ର ଲେଖିବା ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର