ଭୁବନେଶ୍ବର : କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍ ସଞ୍ଚାର ଉପଗ୍ରହ ମେସର୍ସ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିଃ (ଏନ୍ଏସ୍ଆଇଏଲ୍)କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏନ୍ଏଆଇଏଲ୍ ହେଉଛି ଭାରତ ସରକାରଙ୍କ ମହାକାଶ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ। ଏନ୍ଏସ୍ଆଇଏଲ୍ର ଅଧିକୃତ ଅଂଶଧନ ପୁଞ୍ଜିକୁ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ାଇବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟ୍ର ମଧ୍ୟ ମଞ୍ଜୁରି ମିଳିଛି।
ଏସବୁ ସମ୍ପତ୍ତି ଏନ୍ଏସ୍ଆଇଏଲ୍କୁ ହସ୍ତାନ୍ତର କରାଯିବା ଫଳରେ ସରକାରୀ ମାଲିକାନାରେ ଥିବା ଏହି କମ୍ପାନି ପୁଞ୍ଜି ଆଧାରିତ କାର୍ଯ୍ୟକ୍ରମ/ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆର୍ଥିକ କ୍ଷମତା ପାଇପାରିବ । ଏହାଦ୍ବାରା କମ୍ପାନିରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଯୁକ୍ତି ବିକାଶ ହୋଇପାରିବ । ଅନ୍ୟ କ୍ଷେତ୍ରରେ ମଧ୍ୟ କମ୍ପାନିର ବିକାଶ ସମ୍ଭବ ହେବ । ଏହି ଅନୁମୋଦନ ଦ୍ବାରା ମହାକାଶ କ୍ଷେତ୍ରରେ ଘରୋଇ ଆର୍ଥିକ ଗତିବିଧି ବୃଦ୍ଧି ପାଇବ ଏବଂ ବିଶ୍ବ ମହାକାଶ ବଜାରରେ ଭାରତର ଅଂଶଧନ ବଢ଼ିବ।
ମହାକାଶ କ୍ଷେତ୍ରରେ ସଂସ୍କାର ଆସିବା ଫଳରେ ଏଣ୍ଡ ଟୁ ଏଣ୍ଡ ବାଣିଜ୍ୟିକ ମହାକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଏବଂ ଏକ ସମ୍ପୂର୍ଣ୍ଣ ଉପଗ୍ରହ ପରିଚାଳକ ହେବାରେ ଏନ୍ଏସ୍ଆଇଏଲ୍କୁ କ୍ଷମତା ମିଳିପାରିଛି । ସିଙ୍ଗଲ ୱିଣ୍ଡୋ ଅପରେଟର ଭାବେ କାମ କରିବାକୁ ଥିବା ଏନ୍ଏସ୍ଆଇଏଲ୍ ମହାକାଶ କ୍ଷେତ୍ରରେ ବ୍ୟବସାୟିକ ସୁଗମତା ସୁବିଧା ମଧ୍ୟ ପ୍ରଦାନ କରିବ। ଏନ୍ଏସ୍ଆଇଏଲ୍ ବୋର୍ଡ ଏବେ ଉପଗ୍ରହ ସଞ୍ଚାର କ୍ଷେତ୍ରରେ ବଜାର ପରିଦୃଶ୍ୟ ଏବଂ ବିଶ୍ବସ୍ତରୀୟ ଧାରା ଅନୁରୂପ ଟ୍ରାନ୍ସପଣ୍ଡରଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାର ଅଧିକାର ପାଇବ। ଏନ୍ଏସ୍ଆଇଏଲ୍କୁ ନିଜ ଅନ୍ତରୀଣ ନୀତି ଏବଂ ମାର୍ଗଦର୍ଶିକା ଅନୁରୂପ କ୍ଷମତା (କାପାସିଟି) ଉପସ୍ଥାପନ କରିବା ଏବଂ ଆବଣ୍ଟିତ କରିବା ଲାଗି ମଧ୍ୟ ଅଧିକୃତ କରାଯାଇଛି ।