ନୂଆଦିଲ୍ଲୀ: ରୁଷ୍ କହିଛି ଯେ, ଏହା ଭାରତର ଭବିଷ୍ୟତର ଯୁଦ୍ଧ ବିମାନ ଆବଶ୍ୟକତାକୁ ସମର୍ଥନ କରିବାକୁ ପ୍ରସ୍ତୁତ ଏବଂ ବିନା ପ୍ରତିବନ୍ଧକରେ ସୁଖୋଇ-୫୭ ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଯୁଦ୍ଧ ବିମାନ ପାଇଁ ଟେକ୍ନୋଲୋଜି ହସ୍ତାନ୍ତର କରିବାକୁ ଇଚ୍ଛୁକ। ଆସନ୍ତା ମାସରେ ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ୍ ସମେତ ଭାରତ ଓ ରୁଷ୍ର ଅଧିକାରୀମାନଙ୍କ ଭିତରେ ଅନେକ ଆଲୋଚନା ପରେ ଏହି ଆଶ୍ୱାସନା ଦିଆଯାଇଛି।
ସୁଖୋଇ ରୁଷ୍ର ଏରୋସ୍ପେସ୍ ଫୋର୍ସ ପାଇଁ ଏକକ ଇଞ୍ଜିନ୍-ଯୁକ୍ତ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ସୁଖୋଇ-୭୫ ମଧ୍ୟ ବିକଶିତ କରୁଛି। ଦୁବାଇ ଏୟାର୍ ସୋ ୨୦୨୫ ଅବସରରେ ରୁଷ୍ର ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ସଂଗଠନ ରୋଷ୍ଟେକର ସିଇଓ ସର୍ଗେଇ ଚେମେଜୋଭ୍ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ପ୍ରତିରକ୍ଷା ସମ୍ପର୍କକୁ ସୂଚାଇଛନ୍ତି। ସେ କହିଛନ୍ତି, ଭାରତ ଓ ରୁଷ୍ ବହୁ ବର୍ଷ ଧରି ସହଯୋଗୀ ହୋଇ ରହିଛନ୍ତି। ଭାରତ ଉପରେ କଟକଣା ଲାଗିଥିବା ସମୟରେ ମଧ୍ୟ ଆମେ ଦେଶର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲୁ।
ଚେମେଜୋଭ୍ କହିଛନ୍ତି, ଆଜି ଆମେ ପୂର୍ବ ପରି ସମାନ ଆଭିମୁଖ୍ୟ ଜାରି ରଖିଛୁ, ଭାରତ ଆବଶ୍ୟକ କରୁଥିବା ସାମରିକ ଉପକରଣ ଯୋଗାଇଛୁ ଏବଂ ସହଯୋଗ ବିକାଶରେ ଆମର ପାରସ୍ପରିକ ସ୍ୱାର୍ଥକୁ ସୁନିଶ୍ଚିତ କରୁଛୁ। ଅଧିକ ଏସ୍-୪୦୦ ସିଷ୍ଟମ୍ କିମ୍ବା ସୁଖୋଇ-୫୭ ପାଇଁ ଭାରତର ଅନୁରୋଧ ବିଷୟରେ ପଚରାଯିବାରୁ ସେ କହିଛନ୍ତି, ଭାରତ ଯାହା ଆବଶ୍ୟକ କରେ ଆମେ ଦେବାକୁ ପ୍ରସ୍ତୁତ ଅଛୁ। ରୋଷ୍ଟେକ୍ ସହଯୋଗୀ କମ୍ପାନି ୟୁନାଇଟେଡ୍ ଏୟାର୍କ୍ରାଫ୍ଟ କର୍ପୋରେସନ୍ (ୟୁଏସି)ର ମହାନିର୍ଦ୍ଦେଶକ ଭାଦିମ ବାଡେଖା କହିଛନ୍ତି ଯେ, ଭାରତର ସମସ୍ତ ଦାବି ସମ୍ପୂର୍ଣ୍ଣ ଗ୍ରହଣୀୟ ଏବଂ ରୁଷ୍ର ଅଧିକାରୀମାନେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/21/sukhoi-2025-11-21-03-05-23.jpg)