ସାବତ ପୁଅ ଓ ସ୍ବାମୀଙ୍କ ବନ୍ଧୁମାନଙ୍କ ଦ୍ବାରା ଗଣଦୁଷ୍କର୍ମ: ରାଷ୍ଟ୍ରପତିଙ୍କଠାରୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ପ୍ରାର୍ଥନା କଲେ ପୀଡ଼ିତା

ପିଲିଭିତ: ସ୍ବାମୀ, ସାବତ ପୁଅ ଓ ସ୍ବାମୀଙ୍କ ସାଙ୍ଗମାନଙ୍କ ଦ୍ବାରା ମାସମାସ ଧରି ବଳାତ୍କାରର ଶିକାର ହୋଇଥିବା ଉତ୍ତରପ୍ରଦେଶ ପିଲିଭିଟ ଅଞ୍ଚଳର ଜଣେ ମହିଳା ନ୍ୟାୟ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖରେ ଇଚ୍ଛାମୃତ୍ୟୁ (ୟୁଥାନାସିଆ) ପାଇଁ ଅନୁମତି ପ୍ରାର୍ଥନା କରିଛନ୍ତି। ୩୦ ବର୍ଷୀୟା ମହିଳା ଜଣକ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଅକ୍ଟୋବର ୯ ତାରିଖରେ ପୁରଣପୁର କୋଟୱାଲି ଥାନାରେ ଲିଖିତ ଅଭିଯୋଗ ଦିଆଯିବା ପରେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଜାଣିଶୁଣି ଗିରଫ କରୁନାହିଁ।

ଅଭିଯୁକ୍ତମାନେ ତାଙ୍କୁ ଚୁପ୍ ରହ ନ ହେଲେ ମାରିଦେବୁ ବୋଲି ବାରମ୍ବାର ଧମକ ଦେଉଛନ୍ତି। ସେ ନ୍ୟାୟ ପାଇବା ପାଇଁ ବହୁତ ସଂଘର୍ଷ କଲେଣି। ନ୍ୟାୟ ବ୍ୟବସ୍ଥା ଉପରୁ ଆସ୍ଥା ହରାଇବା ପରେ ଏବେ ତାଙ୍କ (ରାଷ୍ଟ୍ରପତିଙ୍କ) ଅନୁମତିକ୍ରମେ ଇଚ୍ଛାମରଣକୁ ବରଣ କରିନେବାକୁ ଶ୍ରେୟ ମଣୁଛନ୍ତି। ମହିଳାଙ୍କ କହିବା ଅନୁସାରେ, ତାଙ୍କର ପ୍ରଥମ ବିବାହ ବିଚ୍ଛେଦ ପରେ ସେ ଚଣ୍ଡୀଗଡ଼ର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ତିନିବର୍ଷ ତଳେ ପୁନର୍ବିବାହ କରିଥିଲେ। ତାଙ୍କର ବି ପୂର୍ବରୁ ବିବାହ ବିଚ୍ଛେଦ ହୋଇଥିଲା। ଗତ ଏପ୍ରିଲମାସରେ ତାଙ୍କ ସାବତ ପୁଅ ତାଙ୍କ ସହ ଦୁଷ୍କର୍ମ କରିଥିଲା ଏବଂ କଥା ପ୍ରଘଟ କଲେ ପରିଣାମ ଭୋଗିବ ବୋଲି ଧମକ ଦେଇଥିଲା। ସେ ଡରି ଚୁପ୍ ରହିଥିଲେ ଏବଂ ସେବେଠାରୁ ସାବତ ପୁଅ ଦୁଷ୍କର୍ମ କରିଆସୁଥିଲା। ସେ ଗର୍ଭବତୀ ହେବା ପରେ ତାଙ୍କ ପେଟକୁ ଗୋଇଠା ମରାଗଲା ଏବଂ ପୁରଣପୁରର ଏକ ଘରୋଇ ହସ୍ପିଟାଲରେ ଜବରଦସ୍ତ ତାଙ୍କର ଗର୍ଭ ନଷ୍ଟ କରାଗଲା।

ମହିଳାଜଣକ ପୁଣି ଅଭିଯୋଗ କରିଛନ୍ତି ଯେ, ଗତ ଜୁଲାଇ ୧୮ ତାରିଖରେ ତାଙ୍କୁ ସ୍ବାମୀଙ୍କ ସାଙ୍ଗର ଫାର୍ମହାଉସକୁ ନିଆଗଲା। ସେଠାରେ ତାଙ୍କ ସ୍ବାମୀଙ୍କ ସମ୍ପର୍କୀୟ ଓ ଦୁଇଜଣ ସାଙ୍ଗ ବଳାତ୍କାର କଲେ। ସେ ପୁଲିସରେ ଲିଖିତ ଅଭିଯୋଗ ଦାଏର କରିଥିଲେ ମଧ୍ୟ ପୁଲିସ ଆଜିଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ନିକଟରେ ତାଙ୍କ ସ୍ବାମୀ ଓ ସାବତ ପୁଅଙ୍କ ସମେତ ୫ ଜଣଙ୍କ ନାମରେ ଗଣଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ଏଫ୍‌ଆଇଆର୍ ପଞ୍ଜୀକରଣ କରାଯାଇଛି। କିନ୍ତୁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ। ମହିଳା ଜଣକ ଏବେ ବରେଲିରେ ତାଙ୍କ ମାଆଙ୍କ ଘରେ ମାଆ, ଭାଇ ଓ ପ୍ରଥମ ବିବାହରୁ ଜାତ ପୁଅ ପାଖରେ ରହୁଥିବା ବେଳେ ତାଙ୍କୁ ଅଭିଯୁକ୍ତମାନେ ବାରମ୍ବାର ହତ୍ୟାଧମକ ଦେଉଛନ୍ତି। ତାଙ୍କ ପାଇଁ ତାଙ୍କ ବାପଘର ପରିବାର ବି ଆତଙ୍କରେ ଦିନ କାଟୁଛନ୍ତି। ଏ ପରିସ୍ଥିତିରେ ରାଷ୍ଟ୍ରପତି ତାଙ୍କର ଇଚ୍ଛାମୃତ୍ୟୁ ଆବେଦନକୁ ମଞ୍ଜୁର କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର