ଧାରା ୩୭୦ ଉଚ୍ଛେଦ ବିରୋଧ‌ରେ ଆନ୍ଦୋଳନ: ଫାରୁକ୍‌ଙ୍କ ଭଉଣୀ ଏବଂ ଝିଅ ଅଟକ

ଶ୍ରୀନଗର: ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ଏବଂ ଝିଅଙ୍କ ସମେତ ଅନେକ ମହିଳା ସାମାଜିକ କର୍ମୀ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆଜି ଆନ୍ଦୋଳନ କରିଥିବ‌ା‌ ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଛି। ଅବଦୁଲ୍ଲାଙ୍କ ଭଉଣୀ ସୁରେୟା ଅବଦୁଲ୍ଲା ଏବଂ ଝିଅ ସାଫିୟା ଅବଦୁଲ୍ଲାଙ୍କ ନେତୃତ୍ବରେ ମହିଳା ସାମାଜିକ କର୍ମୀ କଳା ବ୍ୟାଣ୍ଡ୍‌ ପିନ୍ଧି ଏବଂ ହାତରେ ପ୍ଲାକାର୍ଡ ଧରି ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ଶ୍ରୀନଗରର ଲାଲ୍‌ ଚୌକ୍‌ ନିକଟସ୍ଥ ପ୍ରତାପ ପାର୍କ ନିକଟରେ ରୁଣ୍ଡ ହୋଇଥିଲେ। ପୁଲିସ ସେଠାରୁ ସେମାନଙ୍କୁ ବଳପୂର୍ବକ ପୁଲିସ ଭ୍ୟାନ୍‌କୁ ଉଠାଇ ନେଇ ନିକଟସ୍ଥ ଥାନାରେ ଅଟକ ରଖିଥିଲା। ୮୩ ବର୍ଷୀୟ ଫାରୁକ୍‌ ଅବଦୁଲ୍ଲା ଶ୍ରୀନଗର‌ରେ ତାଙ୍କ ବାସଭବନରେ ଗୃହବନ୍ଦୀ ଥିବାବେଳେ ଜନ ସୁରକ୍ଷା ଆଇନ ଅଧୀନରେ ତାଙ୍କୁ ଅଟକ ରଖାଯାଇଛି।

ଓମାର, ମେହବୁବା ପିଏସ୍‌ଏରେ ଅଟକ ଅଛନ୍ତି
ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ଜନ ସୁରକ୍ଷା ଆଇନ (ପିଏସ୍‌ଏ) ବଳରେ ଅଟକ ରଖାଯାଇଛି ବୋଲି ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ପୂର୍ବରୁ ସେମାନଙ୍କୁ କେଉଁ ଆଇନ ବଳରେ ଅଟକ ରଖାଯାଇଛି ତାହା ସ୍ପଷ୍ଟ ହୋଇନଥିବାରୁ ନିକଟରେ ସେମାନଙ୍କ ଉପରୁ କଟକଣା ହଟିପାରେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଉଭୟ ନେତା ପିଏସ୍‌ଏରେ ଅଟକ ଥିବାରୁ ଜମ୍ମୁ କଶ୍ମୀର ସ୍ଥିତି ଯଦି ପୁଣି ବିଗିଡ଼େ ତା’ହେଲେ ସେମାନଙ୍କୁ ଆବଶ୍ୟକସ୍ଥଳେ ୨ ବର୍ଷ ପର୍ଯ୍ୟନ୍ତ ଅଟକ ରଖାଯାଇ ପାରିବ। କଶ୍ମୀରରେ ଏବେ ସ୍ଥିତି ସୁଧାରିବାକୁ ପ୍ରଶାସନ ଅହରହ ପ୍ରୟାସ ଚଳାଇଥିଲେ ମଧ୍ୟ ଆଗକୁ ପରିସ୍ଥିତି କ’ଣ ହେବ ନେ ନେଇ ଅନିଶ୍ଚିତତା ଲାଗି ରହିଛି।

ସମ୍ବନ୍ଧିତ ଖବର