ନୂଆଦିଲ୍ଲୀ: ଆର୍ୟନ୍‌ ଖାନଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜରେ ନିଶା ନିବାରଣ ବିଭାଗ ବିରୋଧରେ ନକାରାତ୍ମକ ଚିତ୍ରଣ ପାଇଁ ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖଡେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୱାଙ୍ଖଡ଼େ ଶାହରୁଖ ଖାନ୍ ଓ ରେଡ୍ ଚିଲିଜ୍ ଏଣ୍ଟର୍ଟେନମେଣ୍ଟ, ତାଙ୍କ କମ୍ପାନି ତଥା ‘ଦ ବିଏ***ଡିଏସ୍‌ ଅଫ୍‌ ବଲିଉଡ୍‌’ ସିରିଜ୍‌ର ନିର୍ମାତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରି ୨ କୋଟି ଟଙ୍କା କ୍ଷତିପୂରଣ ମାଗିଛନ୍ତି। ଏହି ଟଙ୍କାକୁ ସେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲକୁ ଦାନ କରିବେ ବୋଲି କହିଛନ୍ତି। 

Advertisment

ୱାଙ୍ଖଡେଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଅଭିନେତା ଶାହରୁଖ ଖାନ୍ ଓ ଗୌରୀ ଖାନ୍‌ଙ୍କ ମାଲିକାନାରେ ଥିବା ରେଡ୍ ଚିଲିଜ୍ ଏଣ୍ଟର୍ଟେନ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ ଓ ଅନ୍ୟମାନଙ୍କ ବିରୋଧରେ ସ୍ଥାୟୀ ଓ ଅନିବାର୍ଯ୍ୟ ନିଷେଧାଜ୍ଞା, ଘୋଷଣାନାମା ଓ କ୍ଷତିପୂରଣ ଆଶ୍ୱସ୍ତି ମାଗି ସେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ରେଡ୍ ଚିଲିଜ୍ ଦ୍ୱାରା ନିର୍ମିତ ଓ ନେଟଫ୍ଲିକ୍ସ ଦ୍ୱାରା ପ୍ରସାରିତ ହୋଇଥିବା ଭିଡିଓ ଦୁର୍ଭାଗ୍ୟଜନକ ଓ ଅପମାନଜନକ ବୋଲି ସେ କହିଛନ୍ତି। ବିବୃତିରେ କୁହାଯାଇଛି ଯେ, ଏହି ସିରିଜ୍ ଡ୍ରଗ୍-ବିରୋଧୀ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକର ଏକ ବିଭ୍ରାନ୍ତିକର ଓ ନକାରାତ୍ମକ ଚିତ୍ରଣ ପ୍ରଚାର କରୁଛି, ଯାହାଦ୍ୱାରା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଇଛି।

ସୂଚନାଯୋଗ୍ୟ,  ‘ଦ ବିଏ***ଡିଏସ୍‌ ଅଫ୍‌ ବଲିଉଡ୍‌’ର ପ୍ରଥମ ଏପିସୋଡ୍‌ରେ ଦେଖିବାକୁ ମିଳିଛି, ସମୀର ୱାଙ୍ଖଡେଙ୍କ ପରି ଏକ ଚରିତ୍ର ଏକ ବଲିଉଡ୍ ପାର୍ଟି ବାହାରେ ପହଞ୍ଚି ବଲିଉଡ୍‌ର ଲୋକଙ୍କୁ ଖୋଜୁଛନ୍ତି, ଯେଉଁମାନେ ଡ୍ରଗ୍ସ ବ୍ୟବହାର କରୁଛନ୍ତି। ସେପ୍ଟେମ୍ବର ୧୮ରେ ନେଟଫ୍ଲିକ୍ସରେ ଏହି ସିରିଜ୍ ଷ୍ଟ୍ରିମିଂ ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆରେ ଏହି ଚରିତ୍ର ସମୀର ୱାଙ୍ଖଡେଙ୍କ ସହ ମେଳ ଖାଉଥିବା ଖବର ଭାଇରାଲ ହୋଇଛି। ତାଙ୍କ ପ୍ରତିଷ୍ଠାକୁ କ୍ଷୁଣ୍ଣ କରିବା ପାଇଁ ଜାଣିଶୁଣି ଏଭଳି କରାଯାଇଛି ବୋଲି ୱାଙ୍ଖଡ଼େ ଦାବି କରିଛନ୍ତି।