ଉତ୍ତର-ପୂର୍ବରେ ସିଏବି ତାତି : ଜଳୁଛି ଆସାମ, ତ୍ରିପୁରା, କର୍ଫ୍ୟୁ ଜାରି, ସେନା ମୁତୟନ

ହିଂସାତ୍ମକ ମୋଡ଼ ନେଲା ଆନ୍ଦୋଳନ
ପୁଲିସର ଫାଙ୍କା ଗୁଳି ଚାଳନା, ଲାଠିମାଡ଼
ଇଣ୍ଟରନେଟ୍‌ ବନ୍ଦ, ବହୁ ଟ୍ରେନ୍‌ ବାତିଲ
ହଜାରେରୁ ଅଧିକ ଆନ୍ଦୋଳନକାରୀ ଅଟକ

ନୂଆଦିଲ୍ଲୀ : ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଛି। ସ୍ଥିତି ଅଣାୟତ୍ତ ହୋଇଯାଇ ଥିବାରୁ ସେନା ମୁତୟନ କରାଯିବା ସହିତ ଗୌହାଟିରେ କର୍ଫ୍ୟୁ ଜାରି କରାଯାଇଛି। ଆସାମରେ ଆନ୍ଦୋଳନ ଉଗ୍ର ରୂପ ନେଉଥିବାରୁ ପ୍ରାୟ ୧୦ଟି ଜିଲ୍ଲାରେ ଇଣ୍ଟର‌ନେଟ୍‌ ସେବା ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅଧିକ ୫ ହଜାର ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଛନ୍ତି। ସୂଚନାନୁଯାୟୀ କଶ୍ମୀରରୁ ୨୦ କମ୍ପାନି ଯବାନ ଉତ୍ତର ପୂର୍ବ‌କୁ ହିଂସା ନିୟନ୍ତ୍ରଣ ପାଇଁ ପଠାଯାଇଛି।

ଆନ୍ଦୋଳନ ଯୋଗୁଁ ଆଜି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ଗୌହାଟି ବିମାନବନ୍ଦରରେ ଫସି ରହିଥିଲେ। ପରେ ସିଆର୍‌ପିଏଫ୍‌ ଯବାନମାନେ ତାଙ୍କୁ ଉଦ୍ଧାର କରି ତାଙ୍କ ବାସଭବନକୁ ନେଇଥିଲେ। ଆସାମର ଦିସପୁରରେ ଆନ୍ଦୋଳନକାରୀମାନେ ଏକ ବସ୍‌ରେ ନିଆଁ ଲଗାଇ ଦେବାରୁ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆସାମ ମୁଖ୍ୟମନ୍ତ୍ରୀ ସୋନୱାଲ୍‌ଙ୍କ ଗୃହ ସହର ଚୌବାରେ ସିଏବିକୁ ବିରୋଧ କରାଯାଇ ମୋଟରସାଇକେଲ୍‌ ରୢାଲି କରାଯାଇଥିଲା। ଗୌହାଟିର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜୋରଦାର ହେବାରୁ ପୁଲିସ ଫାଙ୍କା ଗୁଳି ଚାଳନା କରିବା ସହ ଲାଠି ମାଡ଼ କରିଥିଲା। ଉତ୍ତେଜନା ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଗୌହାଟିରେ ଆଜି ସନ୍ଧ୍ୟା ୬.୧୫ରୁ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ ଅନିର୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ଅନ୍ୟପକ୍ଷରେ ଆସାମରେ ୧୨ଟି ‌ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ୧୦ଟି ଟ୍ରେନ୍‌ ଆଂଶିକ ବାତିଲ କରାଯାଇଛି। ଆସାମର ବିଭିନ୍ନ ଜିଲ୍ଲାରେ ପ୍ରାୟ ହଜାରେରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଛି। ଅନ୍ୟପକ୍ଷେ ତ୍ରିପୁରାରେ ଗତକାଲି ଅପରାହ୍ନରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍‌ ଇଣ୍ଟରନେଟ୍‌ ଓ ଏସଏମ୍‌ଏସ ସେବା ବନ୍ଦ ରହିଛି।

ବହୁ ସଂଖ୍ୟାରେ ଛାତ୍ର ଆଜି ସଚିବାଳୟ କମ୍ପ୍ଲେକ୍ସ ନିକଟସ୍ଥ ରାସ୍ତା ଅବରୋଧ କରିଥିଲେ। ତେବେ ସେମାନଙ୍କୁ ପୁଲିସ ଘଉଡ଼ାଇବାରୁ ସଂଘର୍ଷ ହୋଇଥିଲା। ଆନ୍ଦୋଳନରତ ଛାତ୍ରମାନେ ରାସ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଜାପାନ୍‌ ପ୍ରତିପକ୍ଷ ସିଂଜୋ ଆବେଙ୍କ ମଧ୍ୟରେ ସମ୍ମିଳନୀ ପାଇଁ ପ୍ରସ୍ତୁତ ହୋଇଥିବା ଏକ ମଞ୍ଚକୁ ଭଙ୍ଗାରୁଜା କରିଥିଲେ। ସଚିବାଳୟ ବାହାରେ ସମସ୍ତ ସରକାରୀ ହୋର୍ଡିଂ ଏବଂ ବ୍ୟାନର ଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଛି। ଜୋରହାଟ, ଗୋଲାଘାଟ, ତିନସୁକିଆ, ଶିବସାଗର, ନାଗାଓଁ, ସୋନିତପୁର ଏବଂ ଅନ୍ୟ ଜିଲ୍ଲାମାନଙ୍କରେ ଆଜି ସକାଳୁ ଆନ୍ଦୋଳନ ଜୋର୍‌ଦାର ହୋଇଥିଲା। ଦିବ୍ରୁଗଡ଼ରେ ସିଏବି ବିରୋଧୀ ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା। ଦିବ୍ରୁଗଡ଼ରେ ମଧ୍ୟ ଅନେକ ଛାତ୍ର ପୁଲିସ ଲାଠିମାଡ଼ରେ ଆହତ ହୋଇ ଆସାମ ମେଡିକାଲ କଲେଜ୍‌ରେ ଚିକିତ୍ସାଧୀନ ଅଛନ୍ତି। ଗୌହାଟିର ପ୍ରତ୍ୟେକଟି କଲେଜ୍‌ରୁ ପ୍ରାୟ ହଜାର ହଜାର ଛାତ୍ର ଗୌହାଟି-ସିଲଂ ରୋଡ୍‌ରେ ଆନ୍ଦୋଳନ ଯାତ୍ରା କରିଥିଲେ। ଭାଙ୍ଗାଗଡ଼ରେ ‌ପୁଲିସ ଏବଂ ସିଆରପିଏଫ୍‌ ଯବାନମାନେ ଛାତ୍ରଙ୍କ ରାସ୍ତା ଅବରୋଧ କରିବାରୁ ପୁଲିସ ଓ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗୌହାଟି ଏବଂ ଦିବ୍ରୁଗଡ଼ ବିଶ୍ବବିଦ୍ୟାଳୟରେ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି ଏବଂ ବିଭିନ୍ନ କଲେଜ୍‌ରେ ଛାତ୍ରମାନେ ବାର୍ଷିକ ପରୀକ୍ଷା ବର୍ଜନ କରିଛନ୍ତି । ସେପାହିଜଲାରେ ଅସୁସ୍ଥ ୨ ମାସର ଶିଶୁକୁ ହସ୍ପିଟାଲ୍‌ ନିଆଯାଉଥିବାବେଳେ ବାଟରେ ଟ୍ରାଫିକ୍‌ ଜାମ୍‌ ହେତୁ ତା’ର ମୃତ୍ୟୁ ନେଇ ତୁମୁଳ କାଣ୍ଡ ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ବ୍ୟାପକ ଭଂଗାରୁଜା କରିଛନ୍ତି।

ତ୍ରିପୁରାରେ ସେନା ମୁତୟନ ବଢ଼ାଇ ଦିଆଯାଇଥିବା ବେଳେ ଆସାମ୍‌ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି । ତ୍ରିପୁରାର କାଞ୍ଚନପୁର ଏବଂ ମନୁ ଅଞ୍ଚଳରେ ପରିସ୍ଥିତି ସାଂଘାତିକ ରହିଛି। ସେନାର ଫିଲ୍ଡ କମାଣ୍ଡର ଏବଂ ସେନା ମୁଖ୍ୟାଳୟ ଦ୍ବାରା ସ୍ଥିତି ଭଲଭାବେ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର