ଚୀନ୍‌ ବିରୋଧୀ ମାନସିକତା ବଢ଼ୁଛି, ଭାରତରେ ଚୀନ୍‌ ନାଗରିକ ଭୟଭୀତ

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ବିବାଦ ଅତି ଭୟଙ୍କର ରୂପ ନେବାପରେ ଏବେ ଦେଶରେ ଚୀନ୍‌ ବିରେଧୀ ମାନସିକତା ବଢ଼ିଛି। ଅନେକ ସଂଗଠନ ଚୀନ୍‌ ଦ୍ରବ୍ୟକୁ ବର୍ଜନ କରିବାପାଇଁ ଆହ୍ବାନ ଦେଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଚୀନ୍‌ ବିରୋଧୀ ସ୍ଲୋଗାନ୍‌ ଭାଇରାଲ ହେବାରେ ଲାଗିଛି। ତେଣୁ ଭାରତୀୟମାନଙ୍କର ଚୀନ୍‌ ବିରୋଧୀ ଭାବନା ବଢ଼ିଥିବାରୁ ଭାରତରେ ରହୁଥିବା ଚୀନ୍‌ ନାଗରିକମାନେ ଏବେ ଭୟରେ ଅଛନ୍ତି। ଏବେ ଭାରତୀୟ ନାଗରିମାନେ କହ‌ୁଛନ୍ତି ‘ବୟକଟ୍‌ ଚାଇନା’, ‘ଟିଚ୍‌ ଲେସନ୍‌ ଟୁ ଚାଇନା’ । ଅର୍ଥାତ୍‌ ଚୀନ୍‌କୁ ବର୍ଜନ କର ଏବଂ ଏହାକୁ ଉଚିତ ଶିକ୍ଷା ଦିଅ। ବିଭିନ୍ନ ସ୍ଥାନରେ ଚୀନ୍‌ ବିରୋଧରେ ଆନ୍ଦୋଳନ ହୋଇଛି ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ଏଭଳି ସ୍ଥିତିରେ ଭାରତରେ ଥିବା ଚୀନ୍‌ ପରିବାର ଗୁଡ଼ିକ ଗଣମାଧ୍ୟମରେ ବୟାନ ରଖିବାକୁ ଭୟ କରିଛନ୍ତି ଏବଂ ପଦାକୁ ବାହାରିବାକୁ ମଧ୍ୟ ଡରୁଛନ୍ତି। ସେମାନେ ନିଜର ଏବଂ ନିଜ ପରିବାରର ସୁରକ୍ଷା ପାଇଁ ଖୁବ୍‌ ଚିନ୍ତିତ ଅଛନ୍ତି । ଘରକୁ ଫେରିଯିବାପାଇଁ ଏବେ ଅନେକ ବ୍ୟାକୁଳ ହେଉଛନ୍ତି ବୋଲି ଭାରତ-ଚୀନ୍‌ ଅର୍ଥନୈତିକ ଏବଂ ସାଂସ୍କୃତିକ ପରିଷଦ ମହାସଚିବ ମହମ୍ମଦ୍‌ ସକିବ୍‌ କହିଛନ୍ତି।

ସେ କହିଛନ୍ତି, ସୋମବାର ରାତି ଘଟଣା ପରଠାରୁ ଭାରତରେ ଥିବା ତାଙ୍କ ଚୀନ୍‌ ବନ୍ଧୁମାନେ ତାଙ୍କୁ ଫୋନ୍‌ କରୁଛନ୍ତି ଏବଂ ଭାରତରେ ଯେଭଳି ଚୀନ୍‌ ବିରୋଧୀ ମାନସିକତା ବଢ଼ିଛି ସେଥିପାଇଁ ସେମାନେ ଖୁବ୍‌ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହା ସୀମା ବିବାଦ ଏବଂ ଦେଶରେ କୌଣସି ପ୍ରକାର ଅସୁବିଧା ନାହିଁ କି ଏଥିନେଇ କୌଣସି ଚିନ୍ତା ପ୍ରକଟ କରିବାର ନାହିଁ ବୋଲି ମହମ୍ମଦ ସକିବ୍‌ ଚୀନ୍‌ ନାଗରିକଙ୍କୁ ଆଶ୍ବସ୍ତ କରିଛନ୍ତି। ତେବେ ବିଶେଷଜ୍ଞମାନେ କହୁଛନ୍ତି ଯେ ସୀମା ବିବାଦ ଦ୍ବାରା ଅର୍ଥନୀତି ଏବଂ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଥିବା ସମ୍ପର୍କ ଉପରେ ବି ବହୁତ ପ୍ରଭାବ ପଡ଼ିବ। ଭାରତରେ ଏବେ ପ୍ରାୟ ୩ ହଜାର ଚୀନ୍‌ ନାଗରିକ ରହିଛନ୍ତି। ଭାରତରେ ପ୍ରାୟ ୨,୦୦୦ ଚୀନ୍‌ କମ୍ପାନି ମଧ୍ୟ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର