ଇମ୍ରାନ୍‌ଙ୍କ ବିରୋଧରେ ବିଦ୍ରୋହ, ଏକାଠି ହେଲେ ୧୧ ବିରୋଧୀ ଦଳ

ସେନା ବିରୋଧରେ ପୁଲିସ୍‌ର ବିଦ୍ରୋହ

କରାଚି: ପାକିସ୍ତାନ ସରକାର ଏବଂ ସେନା ବି‌ରୋଧରେ ଏବେ ବିଦ୍ରୋହ ଆରମ୍ଭ ହୋଇଯାଇଛି। ଇମ୍ରାନ୍‌ ସରକାରଙ୍କ ପାଇଁ ଏବେ ସବୁଠାରୁ ବଡ଼ ରାଜନୈତିକ ସଙ୍କଟ ଉପୁଜିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଇସ୍ତଫା ଦାବିରେ ଏବେ ସବୁ ବିରୋଧୀ ଦଳ ଏକଜୁଟ୍‌ ହୋଇଛନ୍ତି। ଇମ୍ରାନ୍‌ଙ୍କ ଇସ୍ତଫା ଦାବି କରି ସେମାନେ ଏକ ବିଶାଳ ରୢାଲି କରିଛନ୍ତି। ନିକଟରେ ସେମାନେ ସେନା ବିରୋଧରେ ବି ମୁହଁ ଖୋଲିବା ସହ ଗତ ନିର୍ବାଚନକୁ ସେନାଦ୍ବାରା ପରିଚାଳିତ ଏକ ଅନୈତିକ ନିର୍ବାଚନ ବୋଲି କହିଛନ୍ତି। ତେବେ ପାକିସ୍ତାନରେ ଏବେ ଏକ ହାଇ ପ୍ରୋଫାଇଲ୍‌ ଅପହରଣ ଘଟଣାକୁ ନେଇ ଉଭୟ ସରକାର ଏବଂ ସେନା ଅଡ଼ୁଆରେ ପଡ଼ି ଯାଇଛନ୍ତି। ପାକିସ୍ତାନରେ ସିନ୍ଧ୍‌ ପ୍ରଦେଶ ପୁଲିସ ମୁଖ୍ୟଙ୍କୁ ରେଂଜର୍‌ସଙ୍କ ଦ୍ବାରା ଅପହରଣ କରିନିଆଯାଇଛି ବୋଲି ଅଭିଯୋଗ ହୋଇଛି। ପାକ୍‌ ଅର୍ଦ୍ଧସାମରିକ ବଳ ସିନ୍ଧ୍‌ ପ୍ରଦେଶ ଆଇଜିପି ମୁସ୍ତାକ୍‌ ଅହମଦ ମହରଙ୍କ ବାସଭବନରେ ଚଢ଼ଉ କରିଥିଲା। ସେମାନେ ଆଇଜିପିଙ୍କୁ ଅପହରଣ କରିନେଇଥିଲେ ଏବଂ ବିରୋଧୀ ନେତା ସଫଦାର ଆୱାନ୍‌ , ମୁସ୍ତାଫା ନୱାଜ୍‌ ଖୋକରଙ୍କୁ ଗିରଫ କରିବାପାଇଁ ଏକ ନିର୍ଦ୍ଦେଶରେ ସ୍ବାକ୍ଷର କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ‌ହୋଇଛି। ତେବେ ସିନ୍ଧ୍‌ ପ୍ରଦେଶ ପୁଲିସ ଏହି ଘଟଣାକୁ ଜୋର୍‌ଦାର ବିରୋଧ କରି ରାସ୍ତାକୁ ଓହ୍ଲାଇଛି । ସେମାନେ ଏହି ଘଟଣା ପାଇଁ ପାକ୍‌ ସେନା ବିରୋଧରେ ଖୋଲା ବିଦ୍ରୋହ କରିଛନ୍ତି। ସିନ୍ଧ୍‌ ପ୍ରଦେଶର ସମସ୍ତ ପୁଲିସ ଅଧିକାରୀ ସାମୂହିକ ଛୁଟି ଆବେଦନ କରିଛନ୍ତି।

ସିନ୍ଧ୍‌ ପ୍ରଦେଶ ଆଇଜିପି ଅପହରଣ ଘଟଣାକୁ ନେଇ ବିବାଦ ଜଟିଳ ହେଉଥିବାରୁ ସେନା ସମର୍ଥିତ ପାକିସ୍ତାନ ସରକାର ଏବେ ଏହାକୁ ଚପାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଅନ୍ୟପକ୍ଷେ ସେନାମୁଖ୍ୟ କମର ଜାଭେଦ ବଜ୍‌ୱା ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାକିସ୍ତାନରେ ଏହି ଆନ୍ଦୋଳନ ଓ ବି‌କ୍ଷୋଭ ପାଇଁ ଇମ୍ରାନ ଖାନ୍‌ ସରକାର ଖୁବ୍‌ ଚାପରେ ଅଛନ୍ତି। ଇମ୍ରାନ୍‌ଙ୍କ ଇସ୍ତଫା ଦାବି କରି ପ୍ରାୟ ୧୧ ଟି ବିରୋଧୀ ଦଳ ମେଣ୍ଟ କରିଛନ୍ତି ଏବଂ ସେମାନେ ନିକଟରେ ୨ଟି ବିଶାଳ ରୢାଲି କରି ସରକାରରେ କମ୍ପନ ସୃଷ୍ଟି କରିଛନ୍ତି। ସିନ୍ଧ ଆଇଜିପି ମୁସ୍ତାକ୍‌ ମେହରଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହେବାପରେ ଏହାକୁ ନେଇ ବିଭିନ୍ନ ସ୍ଥାନ‌ରେ ତୀବ୍ର ଉତ୍ତେଜନା ଓ ହିଂସା ଲାଗି ରହିଛି।

ସମ୍ବନ୍ଧିତ ଖବର