ଭୁବନେଶ୍ବର: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିବାଦର ସ୍ବର ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି। ହେଲେ ଆସନ୍ତାକାଲି ଭାରତୀୟ ମେଡିକାଲ ସଂଘ(ଆଇଏମ୍ଏ)ର ନିର୍ଦ୍ଦେଶକ୍ରମେ ଦେଶବ୍ୟାପୀ ପ୍ରତିବାଦ ପାଇଁ ନିଷ୍ପତ୍ତି ହୋଇଛି। ଏହିଭିତ୍ତିରେ ରାଜ୍ୟରେ ୬ହଜାରରୁ ଅଧିକ ଡାକ୍ତର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଆଇଏମ୍ଏ ଓଡ଼ିଶାର ସଂପାଦକ ଡା.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତାକାଲି ସକାଳ ୬ଟାରୁ ୧୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଓପିଡି, ନମୁନା ପରୀକ୍ଷା ଓ ଅନ୍ୟ ସେବା ବନ୍ଦ ରହିବ। ମାତ୍ର ଜରୁରିକାଳୀନ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ। ଆଇଏମ୍ଏ ଅଧୀନରେ ୬ହଜାରରୁ ଅଧିକ ଡାକ୍ତର ପଞ୍ଜିକୃତ ହୋଇଛନ୍ତି। କୋଲକାତାରେ ଜଣେ ମହିଳା ଡାକ୍ତରଙ୍କ କ୍ଷେତ୍ରରେ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଲା ତାହାର ପ୍ରତିବାଦରେ ଡାକ୍ତରମାନେ ଏଥିରେ ସାମିଲ ହେବା ଲାଗି ଆଇଏମ୍ଏର ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ସେ କହିଛନ୍ତି।
ଆଇଏମ୍ଏ ଭୁବନେଶ୍ବର ଶାଖାର ସଂପାଦକ ଡା.ପ୍ରତ୍ୟୁଷ କୁମାର ରାୟ କହିଛନ୍ତି, ସକାଳ ୬ଟାରୁ ପ୍ରତିବାଦ ଆରମ୍ଭ ହେଉଥିବା ବେଳେ ଅପରାହ୍ଣ ୫ଟାରେ ଆଇଏଏ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ଆଇଏମ୍ଏ ଏହି ଦେଶବ୍ୟାପୀ ପ୍ରତିବାଦ ଡାକରାକୁ ସମର୍ଥନ ଜଣାଇଛି ଅଲ ଓଡ଼ିଶା ଇଏସ୍ଆଇ ମେଡିକାଲ ଅଫିସିର୍ସ ଆସୋସିଏସନ୍। ଆସନ୍ତାକାଲି ସକାଳ ସାଢ଼େ ୧୦ଟାରୁ ପ୍ରତିବାଦ ଆରମ୍ଭ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଭୁବନେଶ୍ବର ଏମ୍ସ, ଭିମସାର ବୁର୍ଲା, କଟକ ଏସ୍ସିବି, ବ୍ରହ୍ମପୁର ଏମ୍କେସିଜିରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିଛନ୍ତି।