ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ମାମଲାରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ମସଜିଦର ସିଲ୍ ବେସମେଣ୍ଟ ଭିତରେ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ପୂଜା କରିବାକୁ ଅନୁମତି ଦେଇଥିବା ଜିଲ୍ଲା ଜଜ୍‌ଙ୍କ ଆଦେଶ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ରାତାରାତି ଏହି ଆଦେଶ କାର୍ଯ୍ୟକାରୀ ହେଉଥିବାରୁ ମସଜିଦ କମିଟି ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ଗତ ରାତିରେ ସର୍ବୋଚ୍ଚ ନ୍ୟାୟାଳୟର ଅବକାଶ ରେଜିଷ୍ଟ୍ରାରଙ୍କ ଦ୍ୱାରସ୍ଥ ହୋଇଥିଲା। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ପରାମର୍ଶ କରି ରେଜିଷ୍ଟ୍ରାର ଆବେଦନକାରୀଙ୍କୁ ଜଣାଇ ଦେଇଥିଲେ ଯେ ଏହା ଜରୁରୀ ତାଲିକାଭୁକ୍ତ ହୋଇପାରିବ ନାହିଁ ଏବଂ ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ। ଆଜି ସକାଳେ ରେଜିଷ୍ଟ୍ରାର ଫୋନ୍‌ କରି ମସ୍‌ଜିଦ କମିଟିର ଆଇନଜୀବୀଙ୍କୁ ଜଣାଇଥିଲେ।

Advertisment

ମସଜିଦ କମିଟି ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରାରଙ୍କ ଦ୍ୱାରସ୍ଥ ହୋଇ କହିଥିଲେ ଯେ, ଜାନୁଆରି ୩୧ ଆଦେଶ ଆଳରେ ସ୍ଥାନୀୟ ପ୍ରଶାସନ ତରବରିଆ ଭାବେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିଛି ଏବଂ ମସଜିଦର ଦକ୍ଷିଣ ପାର୍ଶ୍ୱରେ ଥିବା ଗ୍ରିଲ୍‌ଗୁଡ଼ିକୁ କାଟିବା ପ୍ରକ୍ରିୟାରେ ରହିଛି। କିନ୍ତୁ ନିମ୍ନ ଅଦାଲତ ଦେଇଥିବା ଆଦେଶ ଅନୁଯାୟୀ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ଏକ ସପ୍ତାହ ସମୟ ଦିଆଯାଇଥିବାରୁ ପ୍ରଶାସନ ତରବରିଆ ଭାବେ ଏବଂ ରାତିଅଧରେ ଏହି କାର୍ଯ୍ୟ କରିବାର କୌଣସି କାରଣ ନାହିଁ। ହିନ୍ଦୁ ଆବେଦନକାରୀଙ୍କ ସହ ପ୍ରଶାସନ ମିଶିଛି ବୋଲି ମୁସଲମାନ ପକ୍ଷ ଅଭିଯୋଗ କରିଛନ୍ତି।
ତୁରନ୍ତ ଶୁଣାଣି ପାଇଁ ସୁପ୍ରିମ କୋର୍ଟ ମନା କରିବା ପରେ ମସଜିଦ କମିଟି ଆଜି ଆହ୍ଲାବାଦ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି।

ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ଗତକାଲି ବିଳମ୍ବିତ ରାତିରେ ମସଜିଦ ବେସମେଣ୍ଟସିଲ୍ କାଟି ପୂଜାର୍ଚନା ପାଇଁ ବ୍ୟବସ୍ଥା କରିଥିଲେ। ଭୋର ୩ଟାରୁ ମଧ୍ୟ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। କୋର୍ଟ ୭ ଦିନ ସମୟ ଦେଇଥିବ‌ା ବେଳେ ଜିଲ୍ଲା ପ୍ରଶାସନ ଏଭଳି ତରବରିଆ କାମ କାହିଁକି ଆରମ୍ଭ କଲା, ତାହାକୁ ‌ନେଇ କମିଟି ପ୍ରଶ୍ନ ଉଠାଇଛି। କେହି କେହି ଏହାକୁ ହିନ୍ଦୁ ଅଧିକାରର ବିଜୟ ବୋଲି ସ୍ୱାଗତ କରିଥିବା ବେଳେ ଆଉ କେତେକ ଏହି ରାୟର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜ୍ଞାନବାପି ମସଜିଦ ପରିସର ଏକ ବ୍ୟାପକ ଆଇନଗତ ଏବଂ ଐତିହାସିକ ବିତର୍କର ବିଷୟ ପାଲଟିଛି ଏବଂ ଅଦାଲତଙ୍କ ନିଷ୍ପତ୍ତି ଚାଲିଥିବା ଆଇନଗତ ଲଢ଼େଇ ଉପରେ ପ୍ରଭାବ ପକାଇବ ବୋଲି ‌ଅନେକ ମତ ଦେଇଛନ୍ତି।