ପାକିସ୍ତାନ ବିରୋଧୀ ଆନ୍ଦୋଳନ, ନେତୃତ୍ବ ନେଲେ ଗୁଲାଲାଇ ଇସମେଲ୍‌

ନ୍ୟୁୟର୍କ: ପାକିସ୍ତାନୀ ମହିଳା ଅଧିକାର ସାମାଜିକ କର୍ମୀ ଗୁଲାଲାଇ ଇସମେଲ୍‌ ନିକଟରେ ତାଙ୍କ ଦେଶରୁ ଖସି ପଳାଇ ଆ‌ସି ଆମେରିକାରେ ରାଜନୈତିକ ଆଶ୍ରୟ ଚାହିଥିଲେ। ଏବେ ଆମେରିକାରେ ପାକିସ୍ତାନ ବିରୋଧୀ ଆନ୍ଦୋଳନର ଏବେ ବଡ଼ ଚେହେରା ପାଲଟିଛନ୍ତି ଇସମେଲ୍‌। ନ୍ୟୁୟର୍କରେ ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉଦ୍‌ବୋଧନ ଦେବା ସମୟରେ ଜାତିସଂଘ ବାହାରେ ପାକିସ୍ତାନ ବିରୋଧୀ ଆନ୍ଦୋଳନକୁ ଜୋର୍‌ଦାର କରିଥିଲେ ଗୁଲାଲାଇ। ସଂଖ୍ୟାଲଘୁ ସମ୍ପ୍ରଦାୟର ଆନ୍ଦୋଳନକାରୀମାନେ ଜାତିସଂଘ ସାଧା‌ରଣ ପରିଷଦ ବାହାରେ ପ୍ଲାକାର୍ଡ ଧରି ପାକିସ୍ତାନ ବି‌ରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଆତଙ୍କବାଦ ନାଁରେ ପାକିସ୍ତାନରେ ଅନେକ ନିରୀହ ପସ୍ତୁନ ସଂପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଇଛି ଏବଂ ବାଲୋଚିସ୍ତାନ ବାସିନ୍ଦାଙ୍କ ଉପରେ ବର୍ବର ଅତ୍ୟାଚାର ଚାଲିଛି। ପାକ୍‌ ସେନା ହଜାର ହଜାର ଲୋକଙ୍କୁ ବନ୍ଦୀ କରି ନିର୍ଯାତନା ଦେଉଛି ବୋଲି ଇସମେଲ୍‌ କହିଥିଲେ। ପାକିସ୍ତାନୀ ସେନା ଦ୍ବାରା ହେଉଥିବା ମାନବ ଅଧିକାର ଉଲ୍ଲଂଘନକୁ ରୋକିବା ଆମର ମୁଖ୍ୟ ଦାବି ବୋଲି ଇସମେଲ୍‌ କହିଛନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ଲୋକଙ୍କୁ ଆତଙ୍କବାଦୀ ଭାବେ ଅଭିଯୁକ୍ତ କରାଯାଉଛି ‌ବୋଲି ଇସମେଲ୍‌ ଅଭିଯୋଗ କରିଛନ୍ତି। ଇସମେଲ୍‌ ଏବେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଖୁବ୍‌ ଚିନ୍ତିତ ଥିବା କହିଛନ୍ତି। ଇସମେଲ୍‌ ପାକିସ୍ତାନୀ ସୈନିକଙ୍କ ବିରୋଧରେ ଫେସବୁକ୍‌ ଏବଂ ଟ୍ବିଟର୍‌ରେ ପୋଷ୍ଟ୍‌ କରି କହିଥିଲେ ଯେ ପାକିସ୍ତାନୀ ମହିଳାମାନଙ୍କୁ ପାକ୍‌ ସୈନିକମାନେ ଦୁଷ୍କର୍ମ କରୁଛନ୍ତି ଏବଂ ଶାରୀରିକ ନିର୍ଯାତନା ଦେଉଛନ୍ତି।

ସମ୍ବନ୍ଧିତ ଖବର