କରନୀ ସେନା ମୁଖ୍ୟଙ୍କ ହତ୍ୟାର ପ୍ରତିବାଦ: ରାଜସ୍ଥାନ ଠପ୍‌, ରାସ୍ତାକୁ ଓହ୍ଲାଇଲେ ଜନତା

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡ଼ିଙ୍କ ହତ୍ୟା ଘଟଣାକୁ ନେଇ କରନୀ ସେନା ଓ ଅନ୍ୟ ସଂସ୍ଥା ପକ୍ଷରୁ ଆଜି ରାଜସ୍ଥାନରେ ବନ୍ଦ ଡାକରା ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସମ୍ପ୍ରଦାୟ ଦାବି କରିଛି। ସମ୍ପ୍ରଦାୟର ଲୋକମାନେ ଭିଲଓ୍ୱାଡାରେ ଏକ ଟ୍ରେନ୍ ଅଟକାଇଥିଲେ। ଜୟପୁରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୫୦ ହଜାରରୁ ଅଧିକ ଲୋକ ଏହି ବିକ୍ଷୋଭରେ ସାମିଲ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା। ଆଜି ରାଜ୍ୟବ୍ୟାପୀ ବନ୍ଦର ଜୋରଦାର ପ୍ରଭାବ ଦେଖିବାକୁ ମିଳିଥିଲା ଏବଂ ସବୁକିଛି ଠପ୍‌ ହୋଇଯାଇଥିଲା।

କରନୀ ସେନା ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂହ କାଲଭିଙ୍କ ପୁଅ ଭବାନୀ ସିଂହ କାଲଭି କହିଛନ୍ତି, ସୁଖଦେବ ସିଂହ ଗୋଗାମେଡ଼ି ତାଙ୍କ ପ୍ରତି ବିପଦ ଥିବାରୁ ସରକାରଙ୍କଠାରୁ ସୁରକ୍ଷା ଦାବି କରିଥିଲେ। ତାଙ୍କ ସହ ଏପରି କିଛି ହୋଇପାରେ ବୋଲି ପ୍ରଶାସନ ପାଖରେ କିଛି ଚିଠି ଓ ପ୍ରମାଣ ମଧ୍ୟ ଥିଲା। ତା’ ‌ସତ୍ତ୍ବେ ତାଙ୍କୁ କାହିଁକି ସୁରକ୍ଷା ଯୋଗାଇ ଦିଆଗଲା ନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନବନିର୍ବାଚିତ ବିଜେପି ବିଧାୟକ ଦିୟା କୁମାରୀ ମଧ୍ୟ ଗୋଗାମେଡ଼ିଙ୍କ ହତ୍ୟା ପ୍ରସଙ୍ଗରେ କହିଛନ୍ତି, ଜୟପୁରରେ କରନୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଦିଙ୍କ ହତ୍ୟା ଘଟଣା ଆଶ୍ଚର୍ଯ୍ୟଜନକ। ଏହାକୁ ନିନ୍ଦା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ସେ ନିଜ ପାଇଁ ସୁରକ୍ଷା ଦାବି କରିଥିଲେ, କିନ୍ତୁ କଂଗ୍ରେସ ସରକାର ତାହା ଯୋଗାଇବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର