ନୂଆଦିଲ୍ଲୀ: ପ୍ରବଳ ବିରୋଧ ଭିତରେ ୱକଫ୍ (ସଂଶୋଧିତ) ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହେବ। ସଂସଦରେ ବିଲ୍ ଗୃହୀତ ହେବାପରେ ଏହାକୁ ବିରୋଧ କରି ଗୁଜରାଟ, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ମୁସଲମାନମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ୱକଫ୍ ବିଲ୍ ଯେଭଳି ଭାବେ ଗୃହୀତ କରାଗଲା ତାହା ଏକଛତ୍ରବାଦ ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ ବୋଲି କେତେକ ମୁସ୍ଲିମ ସଂଗଠନ ଦାବି କରିଛନ୍ତି।
ଆଜି କୋଲକାତା, ଚେନ୍ନାଇ ଓ ଅହମଦାବାଦ ସମେତ ବିଭିନ୍ନ ସହରରେ ମୁସଲମାନଙ୍କ ଜୋର୍ଦାର ବିରୋଧକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି। ବହୁ ସଂଖ୍ୟାରେ ମୁସ୍ଲିମ ରାସ୍ତାକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିଥିଲେ। ଶୁକ୍ରବାର ନମାଜ ପରେ ବିଭିନ୍ନ ସହରରେ ବିନା ଅନୁମତିରେ ଅଚାନକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସମସ୍ୟା ସୃଷ୍ଟି କରିଥିଲା। ଆଜି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶତାଧିକ ଲୋକଙ୍କୁ ପୁଲିସ ବିଭିନ୍ନ ସ୍ଥାନରେ ଅଟକ ରଖିଥିଲା।
ସୂଚନାଯୋଗ୍ୟ,, ସଂସଦର ଉଭୟ ଗୃହରେ ଲମ୍ବା ବିତର୍କ ପରେ ବିଲ୍ ଗୃହୀତ ହୋଇଥିବା ବେଳେ ଏହି ବିଲ୍ ମୁସ୍ଲମାନଙ୍କ କଲ୍ୟାଣ ପାଇଁ ହିଁ ଉଦ୍ଦିଷ୍ଟ ଏବଂ କୌଣସି ଧାର୍ମିକ ବ୍ୟାପାରରେ ସରକାରଙ୍କ ହସ୍ତକ୍ଷେପ ରହିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ବିରୋଧୀ ଦଳମାନେ କେବଳ ଭୋଟ୍ବ୍ୟାଙ୍କ ପାଇଁ ମୁସ୍ଲିମ ସଂପ୍ରଦାୟକୁ ବିଭ୍ରାନ୍ତ କରୁଛନ୍ତି ଏବଂ ସରକାରକୁ ମୁସ୍ଲିମ ବିରୋଧୀ ଭାବେ ଚିତ୍ରଣ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଆଜି ଚେନ୍ନାଇରେ ଅଭିନେତା ବିଜୟଙ୍କ ତାମିଲଗା ଭେଟ୍ରି କାଜଗମ (ଟିଭିକେ) ମଧ୍ୟ ବିଲ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଟିଭିକେ କର୍ମୀମାନେ ଚେନ୍ନାଇ, କୋଏମ୍ବାଟୁର ଏବଂ ତିରୁଚିରାପଲ୍ଲୀ ଆଦି ସହରରେ ଏକତ୍ରିତ ହୋଇ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/05/9uAigpaBNRW5QjWxK7JC.jpg)