ଚିଟାଗଙ୍ଗ/ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଓ ଅରାଜକତା ଜାରି ରହିଛି, ଏହା ସହ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇସଲାମୀୟ ମୌଳବାଦୀମାନେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ୍‌ଙ୍କ ହତ୍ୟା କରିବା ସହ ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ପୋଡ଼ି ଦେଇଛନ୍ତି। ଏହାର ପ୍ରତିବାଦରେ ଆଜି ରାଜଧାନୀ ଢାକା ଓ ବାଂଲାଦେଶର ଦ୍ବିତୀୟ ବୃହତ୍ତମ ସହର ଚିତ୍ତଗଙ୍ଗରେ ଲକ୍ଷାଧିକ ହିନ୍ଦୁ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବାଂଲାଦେଶର ୫୨ଟି ଜିଲ୍ଲାରେ ହିନ୍ଦୁଙ୍କ ଉପରେ ୨୦୫ଟି ଆକ୍ରମଣ ଘଟଣା ଘଟିଛି।

Advertisment

ଶେଖ ହସିନାଙ୍କ ଆୱାମୀ ଲିଗ୍‌ ସହ ଜଡ଼ିତ ହିନ୍ଦୁ ନେତାଙ୍କୁ ଟାର୍ଗେଟ୍‌ କରାଯାଉଛି ଏବଂ ଶତାଧିକ ସାଧାରଣ ହିନ୍ଦୁ ନାଗରିକ ଆହତ ହୋଇଛନ୍ତି। ପ୍ରାଣଭୟରେ ଅନେକ ଭାରତ ପଳାୟନ ନିମନ୍ତେ ଉଦ୍ୟମ କରୁଛନ୍ତି। ଢାକାର ଶାହବାଗ୍‌ ଠାରେ ପ୍ରାୟ ୩ ଘଣ୍ଟା ଧରି ହିନ୍ଦୁମାନେ ରାସ୍ତା ଅବରୋଧ କରିଥିଲେ। ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣର ତ୍ବରିତ ନ୍ୟାୟ ନିମନ୍ତେ ସ୍ବତନ୍ତ୍ର ଟ୍ରିବୁନାଲ୍‌, ସଂଖ୍ୟାଲଘୁଙ୍କ ନିମନ୍ତେ ୧୦ ପ୍ରତିଶତ ସଂସଦୀୟ ଆସନ, ଦେଶରେ ସଂଖ୍ୟାଲଘୁ ସୁରକ୍ଷା ଆଇନକୁ ଲାଗୁ କରିବାକୁ ଦାବି କରିଥିଲେ। ପ୍ରତିବାଦ ପରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ହିନ୍ଦୁ ଓ ଅନ୍ୟ ସଂଖ୍ୟା ଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଛାତ୍ର ସମାଜକୁ ଆହ୍ବାନ ଦେଇଛନ୍ତି।