ନାଗରିକତା ସଂଶୋଧନ ବିଲ୍‌କୁ ଜୋର୍‌ଦାର ବିରୋଧ, ଉତ୍ତର ପୂର୍ବରେ ବନ୍ଦ ପୋଡ଼ାଜଳା

ଆସାମରେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ତ୍ରିପୁରାରେ ମୋବାଇଲ୍‌ ଇଣ୍ଟରନେଟ୍‌ ଓ ଏସଏମ୍‌ଏସ୍‌ ସେବା ବନ୍ଦ

ଅଗରତାଲା: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ବିରୋଧ କରି ଆଜି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ଉଗ୍ର ରୂପ ନେଇଛି। ଆସାମରେ ବିଭିନ୍ନ ଆଦିବାସୀ ସଂଗଠନ, ଯୁବ ସଂଗଠନ ଏବଂ ନେସୋ (ଉତ୍ତର ପୂର୍ବ ଛାତ୍ର ସଂଗଠନ) ଦ୍ବାରା ଆଜି ବନ୍ଦ ପାଳନ ହୋଇଥିବା ବେଳେ ଶତାଧିକ ସ୍ଥାନରେ ସରକାର ବିରୋଧୀ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିବା ସହ ରାସ୍ତା ଅବରୋଧ ରଖିବାରୁ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ ୟୁନିୟନ ଏବଂ ଉତ୍ତର ପୂର୍ବ ଛାତ୍ର ସଂଗଠନ ଦ୍ବାରା ଆଜି ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ହଜାର ହଜାର ଆନ୍ଦୋଳନକାରୀ ରାସ୍ତାରେ ଟାୟାର ଜାଳିବା ସହ ସିଏବି ପ୍ରତ୍ୟାହାର ଦାବିରେ ସ୍ଲୋଗାନ ଦେଇଥିଲେ। ମାଲେଗାଓଁ ଅଞ୍ଚଳରେ ଏକ ସରକାରୀ ବସ୍‌ ଉପରେ ଆକ୍ରମଣ ହୋଇଥିବା ବେଳେ କେତେକ ସ୍ଥାନରେ ବାଇକ୍‌ ଜାଳି ଦିଆଯାଇଥିବା ଜଣାପଡ଼ିଛି।

ଗୌହାଟିରେ ସିଏବିକୁ ବିରୋଧ କରି ବିଶାଳ ଶୋଭାଯାତ୍ରା ବାହାରିଥିଲା। ସଚିବାଳୟ ନିକଟରେ ଆନ୍ଦୋଳନକାରୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀମ‌ାନେ ରେଳ ଲାଇନ୍‌ରେ ଧାରଣାରେ ବସିଥିବାରୁ ଆସାମରେ ଟ୍ରେନ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦିବ୍ରୁଗଡ଼ ଜିଲ୍ଲାରେ ବନ୍ଦ ସମର୍ଥକ ଏବଂ ସିଆଇଏସ୍‌ଏଫ୍‌ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଗୌହାଟି ବିଶ୍ବବିଦ୍ୟାଳୟ, ଗୌହାଟିର କଟନ୍‌ ବିଶ୍ବବିଦ୍ୟାଳୟ ଏବଂ ଜୋରହାଟ୍‌ରେ ଆସାମ କୃଷି ବିଶ୍ବବିଦ୍ୟାଳୟ ଛାତ୍ରମାନେ ରାସ୍ତାକୁ ଓହ୍ଲାଇ ସିଏବି ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି। ଗୌହାଟିରେ ବନ୍ଦର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ଗାଡ଼ି ମୋଟର ଭଙ୍ଗାରୁଜା ଯୋଗୁଁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା। ଆନ୍ଦୋଳନକାରୀମାନେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ।

ସିଏବିକୁ ବିରୋଧ କରି ଉତ୍ତରପୂର୍ବରେ ଆନ୍ଦୋଳନ ଉଗ୍ର ‌ରୂପ ନେଇଥିବାରୁ ତ୍ରିପୁରା ସରକାର ଆଜି ଅପରାହ୍ନ ୨ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍‌ ଇଣ୍ଟରନେଟ୍‌ ଓ ଏସଏମ୍‌ଏସ ସେବା ବନ୍ଦ କରିଦେଇଛନ୍ତି। ରାଜ୍ୟର କିଛି ସ୍ଥାନରେ ଆଦିବାସୀ ଏବଂ ଅଣ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଖବର ଆସିବାପରେ ତ୍ରିପୁରା ପ୍ରଶାସନ ଦ୍ବାରା ଏହାକୁ ଏକ ଗୁଜବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ମିଜୋରାମ, ନାଗାଲାଣ୍ଡ୍‌ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଆନ୍ଦୋଳନ ତୀବ୍ର ହୋଇଛି। ମିଜୋରାମ୍‌ର ଏମ୍‌ଜେଡ୍‌ପି (ମିଜୋ ଜିରଲାଇ ପଲ୍‌)ଦ୍ବାରା ବନ୍ଦ ପାଳନ କରାଯାଇଛି। ମିଜୋରାମ୍‌ରେ ୧୦ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ଆଜି ଏଠାରେ ସମସ୍ତ ସରକାରୀ ଅଫିସ୍‌, ବ୍ୟାଙ୍କ୍‌, ଶିକ୍ଷାନୁଷ୍ଠାନ ଏବଂ ଦୋକାନ ବଜାର ବନ୍ଦ ରହିଥିଲା। ଅଗରତାଲାରେ ବନ୍ଦ ଯୋଗୁଁ ଜୀବନଯାତ୍ରା ଅଚଳ ହୋଇଯାଇଥିଲା। କୋଲକାତାରେ ଏସ୍‌ୟୁସିଆଇ ପକ୍ଷରୁ ଏକ ବଡ଼ ଧରଣର ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳ ଏବଂ ଛାତ୍ର ସଂଗଠନ ପକ୍ଷରୁ ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର