ଲକ୍ଷ୍ନୌ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁୁ)ର ଆଇଆଇଟି କ୍ୟାମ୍ପସରେ ବୁଧବାର ବିଳମ୍ବିତ ରାତିରେ ଜଣେ ଛାତ୍ରୀ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବା ବେଳେ କେତେକ ଅଜ୍ଞାତ ବାଇକ୍ ଆରୋହୀ ତାଙ୍କୁ ଅସଦାଚରଣ କରିବା ସହ ନଗ୍ନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଆଇଆଇଟି-ବିଏଚୟୁର ଶତାଧିକ ଛାତ୍ରଛାତ୍ରୀ ଗୁରୁବାର ରାଜପୁତାନା ହଷ୍ଟେଲ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଏବଂ ବାହାର ଲୋକଙ୍କ କ୍ୟାମ୍ପସ ଭିତରକୁ ପ୍ରବେଶ ଉପରେ ନିଷେଧଦେଶ ଲଗାଇବାକୁୁ ଦାବି କରିଛନ୍ତି।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ରାତିରେ ସେ ଜଣେ ବନ୍ଧୁଙ୍କ ସହ ବାହାରକୁ ଯାଇଥିଲେ। ସେମାନେ କର୍ମନ ବାବା ମନ୍ଦିର ନିକଟରେ ଥିବା ବେଳେ ତିନି ଜଣ ଅଜ୍ଞାତ ବ୍ୟକ୍ତି ଏକ ମୋଟର ସାଇକେଲରେ ସେଠାକୁ ଆସି ତାଙ୍କୁ ଜୋରଜବରଦସ୍ତ ଏକ କୋଣକୁ ନେଇ ଯାଇଥିଲେ ଏବଂ ତାଙ୍କ ସାଙ୍ଗଠାରୁ ଅଲଗା କରିବା ପରେ ତାଙ୍କୁ ଗାଳିଗୁଲଜ କରିଥିଲେ।
ଏହାପରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ନଗ୍ନ କରି ତାଙ୍କର ଭିଡିଓ ତିଆରି କରିଥିଲେ। ସେମାନେ ତାଙ୍କୁ ୧୫ ମିନିଟ୍ ପରେ ଛାଡ଼ି ଦେଇଥିଲେ ଏବଂ ତାଙ୍କ ଫୋନ୍ ନମ୍ବର ନେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ୩ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏତଲା (ପ୍ରାଥମିକ ସୂଚନା ରିପୋର୍ଟ) ରୁଜୁ କରାଯାଇଛି। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ କହିଛି, ଦେଶର ଏକ ପ୍ରତିଷ୍ଠିତ ଅନୁଷ୍ଠାନର ଏଭଳି ଅବସ୍ଥା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାୟୀ। ତାଙ୍କ ଶାସନ କାଳରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତ ଏପରି ସ୍ତରକୁ ଆସିଯାଇଛି ଯେ ଯେଉଁଠାରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଛି।
ବିଏଚୟୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୟୁନିଟ୍ର ସମ୍ପାଦକ ଅଭୟ ସିଂହ ଏହାର ସଦସ୍ୟମାନଙ୍କ ସହ ବିକ୍ଷୋଭରେ ସାମିଲ ହୋଇ ଅଭିଯୁକ୍ତଙ୍କୁ ଶୀଘ୍ର ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରଛନ୍ତି।
ଅନ୍ୟପକ୍ଷରେ ଆଇଆଇଟି-ବିଏଚୟୁ ପ୍ରଶାସନ ଏକ ନୂଆ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ କ୍ୟାମ୍ପସ ଭିତରେ ଥିବା ସମସ୍ତ ବ୍ୟାରିକେଡ୍ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପ୍ରଶାସନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Capture-5.jpg)