ହାଓଡି ମୋଦୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପାକିସ୍ତାନରୁ ମୁକ୍ତି ପାଇଁ ବିକ୍ଷୋଭ

ୱାସିଂଟନ: ହାଓଡି ମୋଦୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆମେରିକାରେ ବସବାସ କରୁଥିବା ପାକିସ୍ତାନର ସିନ୍ଧି, ବାଲୁଚ ଏବଂ ପାସ୍ତୁ ଗୋଷ୍ଠୀର ପ୍ରତିନିଧିମାନେ ହଷ୍ଟନଠାରେ ଏକତ୍ରିତ ହୋଇଛନ୍ତି। ପାକିସ୍ତାନଠାରୁ ମୁକ୍ତ ହେବା ଦାବିରେ ସେମାନେ ଶନିବାରଠାରୁ ଏଠାରେ ଏକତ୍ର ହୋଇଛନ୍ତି। ପାକିସ୍ତାନରେ ଏହି ଗୋଷ୍ଠୀର ଲୋକଙ୍କର ମାନବ ଅଧିକାରକୁ ସାଂଘାତିକ ଭାବେ ହନନ କରାଯାଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି। ୧୯୭୧ରେ ଭାରତ ଯେଭଳି ବାଂଲାଦେଶର ଲୋକମାନଙ୍କୁ ସାହାଯ୍ୟ କରିଥିଲା ସେହିଭଳି ଢଙ୍ଗରେ ଭାରତ ଏବଂ ଆମରେିକା ଆମମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ବାଲୁଚ ଜାତୀୟ ଆନ୍ଦୋଳନର ଆମେରିକା ପ୍ରତିନିଧି ନବି ବକ୍ସ ବାଲୁଚ୍ କହିଛନ୍ତି। ଆମର ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରିବା ଲାଗି ଆମେ ଏଠାକୁ ଆସିଛୁ। ଆମେରିକାରେ ବସବାସ କରୁଥିବା ୧୦୦ରୁ ଅଧିକ ସିନ୍ଧି ଲୋକ ଆସି ପହଞ୍ଚିଛନ୍ତି। ସେମାନେ ହାଓଡି ମୋଦୀ କାର୍ଯ୍ୟକ୍ରମ ହେବାକୁ ଥିବା ଏନଆରଜି ଷ୍ଟାଡିୟମ ବାହାରେ ବିକ୍ଷୋଭ କରିବା ଯୋଜନା କରିଛନ୍ତି। ସେମାନଙ୍କ ପ୍ରତିବାଦ ପୋଷ୍ଟର ମୋଦୀ ଏବଂ ଟ୍ରମ୍ପଙ୍କ ନଜରରେ ପଡ଼ିବ ବୋଲି ସେମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର