ସୁଲେମାନୀଙ୍କୁ ହତ୍ୟାର ପ୍ରତିବାଦ, ଆମେରିକାରେ ବିକ୍ଷୋଭ

ୱାସିଂଟନ: ଇରାନ୍‌ କମାଣ୍ଡର ଜେନେରାଲ ୱାସିମ ସୁଲେମାନୀଙ୍କ ହତ୍ୟାର ପ୍ରତିବାଦ କରି ଆଜି ଆମେରିକାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇବା ସହ ଆମେ ଯୁଦ୍ଧ ଚାହୁନାହୁଁ ବୋଲି ସ୍ଲୋଗାନ୍‌ ଦେଇଥିଲେ। ଇରାନ୍‌ କମାଣ୍ଡର ଜେନେରାଲ୍‌ଙ୍କ ହତ୍ୟା କରାଯିବା ଏବଂ ଅନ୍ୟାୟ ଭାବେ ହଜାର ହଜାର ଆମେରିକୀୟ ସେନାଙ୍କୁ ମଧ୍ୟପ୍ରାଚ୍ୟକୁ ପଠାଇବା ଉଚିତ ହୋଇନାହିଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ମଧ୍ୟ ପ୍ରାଚ୍ୟରେ ଶାନ୍ତି ରକ୍ଷା କରିବା ଏବଂ ଯୁଦ୍ଧକୁ ରୋକିବାକୁ ବିଶ୍ବବାସୀ ଚାହାନ୍ତି। ଅଯଥାରେ ଟ୍ରମ୍ପ୍‌ ପ୍ରଶାସନ ଆମେରିକୀୟଙ୍କ ଉପରେ ଏକ ଯୁଦ୍ଧ ଲଦି ଦିଅନ୍ତୁ ନାହିଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଫିଲାଡେଲ୍‌ଫିଆ, ସାନ୍‌ଫ୍ରାନ୍‌ସିସ୍କୋ ଏବଂ ନ୍ୟୁୟର୍କ ସମେତ ପ୍ରାୟ ୧୦ଟି ସହରରେ ଯୁଦ୍ଧ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ବାଗ୍‌ଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଇରାନ୍‌ର କମାଣ୍ଡର ଜେନେରାଲ୍‌ କ୍ବାସିମ୍‌ ସୁଲେମାନୀଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ଏବେ ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର