ନୂଆଦିଲ୍ଲୀ : କଂଗ୍ରେସ ନେତା କପିଲ ସିବଲଙ୍କ ଘର ବାହାରେ କଂଗ୍ରେସ କର୍ମୀମାନେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟେକା ପଥର ଫିଙ୍ଗିବା ଘଟଣାକୁ ଦଳର ବରିଷ୍ଠ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, ଯେଉଁ କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ଥିଲେ ସେମାନଙ୍କ ବିରୋଧରେ ଦଳର ମୁଖିଆ ସୋନିଆ ଗାନ୍ଧି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଶର୍ମା କହିଛନ୍ତି, କପିଲ ସିବଲଙ୍କ ଘରେ ଯେଭଳି ଆକ୍ରମଣ ଏବଂ ଭଙ୍ଗାରୁଜା ହେଲା ତାହା ଖୁବ୍‌ ଆଶ୍ଚର୍ଯ୍ୟ ଲାଗିଲା। ଏଭଳି କାର୍ଯ୍ୟ ଦଳର ସମ୍ମାନକୁ ତଳେ ପକାଇଛି ଏବଂ ଏହାକୁ ରୋକିବା ପାଇଁ ପ୍ରୟାସ ଜରୁରୀ। କଂଗ୍ରେସ ନେତା ମନୀଷ ତିୱାରୀ ମଧ୍ୟ କଂଗ୍ରେସ କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟକୁ ବିରୋଧ କରିବା ସହ ଏଥିରେ ଅଙ୍କୁଶ ଜରୁରୀ ବୋଲି କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ କହିଛନ୍ତି ଯେ ଦଳର ବର୍ତ୍ତମାନ ସ୍ଥିତିରେ କୌଣସି ଫଳପ୍ରଦ ଆଲୋଚନା ଆରମ୍ଭ ନହେବା ତାଙ୍କୁ ଅତ୍ୟନ୍ତ ପୀଡ଼ା ଦେଉଛି ଏବଂ ସେ ଅସହାୟ ଅନୁଭବ କରୁଛନ୍ତି।

Advertisment

ପୂର୍ବତନ ବିଦେଶ ବ୍ୟାପାର ମନ୍ତ୍ରୀ ନଟବର ସିଂହ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଛନ୍ତି। ସିଂହ କହିଛନ୍ତି, ଆଜି କଂଗ୍ରେସ ଯେଉଁ ସମସ୍ୟା ସାମ୍ନା କରୁଛି‌ ସେଥିପାଇଁ ରାହୁଲ ଗାନ୍ଧି ଏବଂ ଅନ୍ୟ ୨ ଜଣ (ସୋନିଆ ଗାନ୍ଧି-ପ୍ରିୟଙ୍କା ଗାନ୍ଧି) ଦାୟୀ। ଦଳକୁ କେବଳ ୩ ଜଣ ପରିଚାଳନା କରିବାରୁ ଅନର୍ଥ ଉପୁଜୁଛି। ରାହୁଲ ଗାନ୍ଧିଙ୍କର ଦଳରେ କୌଣସି ପଦବି ନାହିଁ କିନ୍ତୁ ସେ ଦଳର ମୁଖିଆ ଭଳି କାର୍ଯ୍ୟ କରୁଛନ୍ତି ବୋଲି ନଟବର ସିଂହ କହିଛନ୍ତି। ପଂଜାବ ଏବଂ ଛତିଶଗଡ଼ରେ କଂଗ୍ରେସ ନେତୃତ୍ବ ସଙ୍କଟ ସାମ୍ନା କରୁଥିବା ବେଳେ ଏଭଳି ସ୍ଥିତିରେ ନଟବର ସିଂହ ରାହୁଲଙ୍କୁ ସମାଲୋଚନା କରି ଏଭଳି ଟିପ୍ପଣୀ ରଖିଛନ୍ତି। ନଟବର କହିଛନ୍ତି, ଦଳ ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି ଏବଂ ବରିଷ୍ଠ ନେତାମାନେ ଏହାର କୁପରିଣାମ ଭୋଗୁଛନ୍ତି।