ନୂଆଦିଲ୍ଲୀ: ଲଦାଖରେ ହୋଇଥିବା ହିଂସାତ୍ମକ ବିକ୍ଷୋଭକୁ ନେଇ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଆଜି କଡ଼ା ବାର୍ତ୍ତା ଦେଇଛନ୍ତି। ଗୁପ୍ତା ଅଭିଯୁକ୍ତ ଷଡ଼୍ଯନ୍ତ୍ରକାରୀଙ୍କ ନାମ ନନେଇ କହିଛନ୍ତି, ଗତ ବର୍ଷ ବାଂଲାଦେଶରେ ହୋଇଥିବା ହିଂସା ଏବଂ ଚଳିତ ମାସରେ ନେପାଳର ‘ଜେନ୍ ଜେଡ୍’ ଆନ୍ଦୋଳନକୁ ଉଲ୍ଲେଖ କରି କିଛି ଲୋକ ହିଂସା ଘଟାଇଛନ୍ତି ଏବଂ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ। ସେ କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିବାଦ କରିବା ଏକ ଅଧିକାର, କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ଢଙ୍ଗରେ କରାଯିବା ଆବଶ୍ୟକ। ଗତ ଦୁଇ ଦିନ ଧରି ଲଦାଖର ଲୋକଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରାଯାଉଛି। ଏଠାରେ ଅନୁଷ୍ଠିତ ବିକ୍ଷୋଭକୁ ବାଂଲାଦେଶ ଓ ନେପାଳରେ ଅନୁଷ୍ଠିତ ବିକ୍ଷୋଭ ସହିତ ତୁଳନା କରାଯାଉଛି। ଏଥିରୁ ଏକ ଷଡ୍ଯନ୍ତ୍ରର ଗନ୍ଧ ଆସୁଛି, ଯେଉଁଥିରେ ବିଦେଶୀ ହାତ ଥାଇପାରେ ବୋଲି ଉପରାଜ୍ୟପାଳ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପରେ ୨୦୧୯ରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଗଠନକୁ ଲଦାଖ ଲୋକମାନେ ସ୍ୱାଗତ କରିଥିଲେ। ସମସ୍ତଙ୍କର କହିବାର ଓ ନିଜ ଦାବି ରଖିବାର ଅଧିକାର ଅଛି କିନ୍ତୁ ଲଦାଖକୁ ହିଂସାର ସ୍ଥାନ ହେବାକୁ ଯେଉଁ ପ୍ରୟାସ ଚାଲିଛି ତାହାକୁ ପଣ୍ଡ କରାଯିବ। ଲଦାଖ ଏକ ଶାନ୍ତିପୂର୍ଣ୍ଣ ଓ ଧାର୍ମିକ ଅଞ୍ଚଳ। ଏଠାରେ ହିଂସା ଭିଆଉଥିବା ଲୋକ ଓ ଷଡ୍ଯନ୍ତ୍ରକାରୀଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପରାଜ୍ୟପାଳ ଚେତାବନୀ ଦେଇଛନ୍ତି।
ସୁରକ୍ଷା ସମୀକ୍ଷା ବୈଠକ, ଲେହରେ କର୍ଫ୍ୟୁ ବଳବତ୍ତର
ଲଦାଖକୁ ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ତାଲିକାରେ ଅନ୍ତର୍ଭୁକ୍ତ କରିବା ଦାବିରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେବାରୁ ଗତକାଲି ୪ ଜଣଙ୍କର ମୃତ୍ୟୁ ହେବା ସହ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଜି ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଏନେଇ ଲେହରେ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ , ଶାନ୍ତି, ସୁରକ୍ଷା ସୁନିଶ୍ଚିତ କରିବାପାଇଁ ସେ ସତର୍କତା ଏବଂ ଦୃଢ଼ ଆନ୍ତଃ-ଏଜେନ୍ସି ସମନ୍ବୟ ଏବଂ ସକ୍ରିୟ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଲ୍ଜିଙ୍କ ସହ ସୁରକ୍ଷା ସମୀକ୍ଷା ବୈଠକରେ ପୁଲିସ, ସିଆରପିଏଫ୍ ଏବଂ ସିଭିଲ୍ ଆଡମିନିଷ୍ଟ୍ରେସନ୍ର ଅଧିକାରୀମାନେ ଉପସ୍ଥିତ ଥିଲେ। ହିଂସା ପାଇଁ ଲେହରେ କର୍ଫ୍ୟୁ ଜାରି ହୋଇଛି। ଇତିମଧ୍ୟରେ ଗୃହ ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ ଟିମ୍ ସ୍ଥିତି ଆକଳନ ପାଇଁ ଆଜି ଲେହରେ ପହଞ୍ଚିଛନ୍ତି। ହିଂସାତ୍ମକ ଆନ୍ଦୋଳନ ପରେ ଲେହ ସହରରେ ସ୍ଥତି ନିୟନ୍ତ୍ରଣ ପାଇଁ କଟକଣା ଜାରି କରାଯାଇଛି। କେଡିଏ (କାର୍ଗିଲ ଡେମୋକ୍ରାଟିକ୍ ଆଲିଆନ୍ସ) ଆଜି କାର୍ଗିଲ ସହରରେ ସଂପୂର୍ଣ୍ଣ ବନ୍ଦ ଘୋଷଣା କରିଥିଲା। ଆଇନ ଶୃଙ୍ଖଳା ରକ୍ଷା ପାଇଁ କର୍ତ୍ତୃପକ୍ଷ କଡ଼ା କଟକଣା ଜାରି କରିଥିବା ବେଳେ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି।