ନୂଆଦିଲ୍ଲୀ: ସଂସଦରେ ଆଜି ମଧ୍ୟ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରିନାହିଁ। ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦରେ ଆଜି ବିରୋଧୀ ସାଂସଦମାନେ ଗାନ୍ଧି ମୂର୍ତ୍ତି ନିକଟରେ କଳା ବ୍ୟାଜ୍ ପିନ୍ଧି ଧାରଣା ଦେଇଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଆଜି ନିଲମ୍ବିତ ୧୨ ସାଂସଦଙ୍କୁ ଭେଟି ଆଲୋଚନା କରିଛନ୍ତି।
ଦେଶରେ ଡ୍ୟାମ୍ ପରିଚାଳନା, ନିରୀକ୍ଷଣ, ରକ୍ଷଣାବେକ୍ଷଣ ଏବଂ ଡ୍ୟାମ ସୁରକ୍ଷା ଉପରେ ଜାତୀୟ କମିଟି ଗଠନ ପାଇଁ ଉଦ୍ଦିଷ୍ଟ ବିଲ୍ ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ ହୋଇଛି। ପ୍ରଥମେ ଲୋକସଭାରେ ଏବଂ ପରେ ରାଜ୍ୟସଭାରେ ଉକ୍ତ ବିଲ୍ ଗୃହୀତ ହୋଇଛି। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଉକ୍ତ ବିଲ୍ ଉପରେ ଉତ୍ତର ରଖିବା ପରେ ଏହା ଗୃହୀତ ହୋଇଛି। କଂଗ୍ରେସ ସମେତ ଟିଏମସି ଏବଂ ଡିଏମକେ ଉକ୍ତ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ। ଉକ୍ତ ଆଇନରେ ରାଜ୍ୟଗୁଡ଼ିକର ଅଧିକାର ସଂକୁଚିତ ହେବା ଦାବି କରି ସେମାନେ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ଯୁକ୍ତି ବାଢ଼ିଥିଲେ।
ଦରଦାମ ବୃଦ୍ଧି ଏବଂ ୧୨ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ଆଜି ଅନେକ ବିରୋଧୀ ଦଳର ସାଂସଦ ରାଜ୍ୟସଭାରେ କକ୍ଷତ୍ୟାଗ ମଧ୍ୟ କରିଛନ୍ତି। ମୁଦ୍ରାସ୍ଫୀତି ପ୍ରସଙ୍ଗରେ କଂଗ୍ରେସ, ଏନସିପି, ଆରଜେଡି, ଟିଆରଏସ ଏବଂ ଆଇୟୁଏମଏଲ ରାଜ୍ୟସଭାରୁ ଆଜି କକ୍ଷତ୍ୟାଗ କରିଛନ୍ତି। ଲୋକସଭାରେ କୋଭିଡ-୧୯ ଉପରେ ଆଲୋଚନା ସମୟରେ ବିଜେପି ଶାସିତ ରାଜ୍ୟଗୁଡ଼ିକ ପ୍ରତି କେନ୍ଦ୍ର ପକ୍ଷପାତ କରି ଅଧିକ ଟିକା ଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଥିଲେ। ଲୋକସଭାରେ ଆଜି ଆସିଷ୍ଟେଡ୍ ରିପ୍ରକ୍ଟିଭ ଟେକ୍ନୋଲୋଜି (ରେଗୁଲେସନ )ବିଲ-୨୦୨୦ ମଧ୍ୟ ଗୃହୀତ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଗତକାଲି ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ।
ବିରୋଧୀ ଦଳମାନେ ସେମାନଙ୍କ ପ୍ରତିବାଦ କୌଶଳ ବଦଳାଇଛନ୍ତି। ଗୃହରେ ପ୍ରମୁଖ ବିଷୟ ଉପରେ ସେମାନେ ଆଲୋଚନା ପାଇଁ ଦାବି କରିବେ। ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ କୌଣସି ମତ ରଖିବେ ନାହିଁ ବୋଲି ବିରୋଧୀ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।