ଯେତେବେଳେ କଲ୍‌ରାଜ ମିଶ୍ର ସରକାର ଭାଙ୍ଗିବାକୁ ଦାବି କରିଥିଲେ, ରାଜଭବନ ନିକଟରେ ଆନ୍ଦୋଳନ କରିଥିଲେ

ନୂଆଦିଲ୍ଲୀ: ଫ୍ୟାସନ୍‌ ଯେମିତି ଏକ ଚକ୍ର ଭଳି ସବୁବେଳେ ଘୁରୁଥାଏ ଠିକ୍‌ ସେମିତି ରାଜନୀତି। ପୁରୁଣା ଫ୍ୟାସନ୍‌ ପୁଣି ଥରେ ଟ୍ରେଣ୍ଡ୍‌କୁ ଫେରିବା ଭଳି ରାଜନୀତିରେ ମଧ୍ୟ ସବୁବେଳେ ଅତିତର ପୁନରାବୃତ୍ତି ଘଟିଥାଏ। ଏବେ ରାଜସ୍ଥାନ ରାଜନୈତିକ ପରିସ୍ଥିତି ଠିକ୍‌ ସମାନ ରହିଛି। ରାଜ୍ୟପାଳ କଲ୍‌ରାଜ ମିଶ୍ର ବିଧାନସଭା ଅଧିବେଶନ ନଡାକିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଧମକ ଦେଇ କହିଥିଲେ, ରାଜ୍ୟର ଲୋକମାନେ ରାଜ୍ୟପାଳଙ୍କ ଗୃହକୁ ପ୍ରବେଶ କରିବେ। ତେବେ ରାଜଭବନ ନିକଟରେ ଲୋମାନେ ଧାରଣା ଦେଇନଥିଲେ ମଧ୍ୟ ଗେହଲଟ୍‌ ରାଜ୍ୟପାଳଙ୍କ ସରକାରୀ ବାସଭବନ ନିକଟରେ ଆନ୍ଦୋଳନ କରିଥିଲେ। ସୋମବାର ଏହି ଧାରଣା ପ୍ରତ୍ୟାହାର କରାଯାଇଥିଲା। ତେବେ ଏହି ଧାରଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟପାଳ କଲ୍‌ରାଜ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖିଥିଲେ। ରାଜ୍ୟପାଳ କହିଥ‌ିଲେ, ଯଦି ତୁମେ ଏବଂ ତୁମ ଗୃହ ବିଭାଗ ରାଜ୍ୟପାଳଙ୍କୁ ସୁରକ୍ଷା ଦେଇପାରୁନ ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ତୁମର ମତ କ’ଣ ରହିଛି। କିନ୍ତୁ ବାସ୍ତବରେ ରାଜ୍ୟପାଳ କଲ୍‌ରାଜ ମିଶ୍ର ମଧ୍ୟ ଗତ ୨୫ ବର୍ଷ ପୂର୍ବେ ୧୯୯୫ରେ ଉତ୍ତରପ୍ରଦେଶ ସରକାର ଭାଙ୍ଗିବାକୁ ଦାବି କରିଥିଲେ ଏବଂ ରାଜ ଭବନ ନିକଟରେ ବଳପୂର୍ବକ ଧାରଣାରେ ବସିଥିଲେ। ସେ ସମୟରେ ସେ ଉତ୍ତରପ୍ରଦେଶ ବିଜେପିର ସଭାପତି ଥିଲେ।

ସେ ସମୟରେ ସମାଜବାଦୀ ପାର୍ଟି ପୁରୋଧା ମୁଲାୟମ ସିଂହ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ମାୟାବତୀ ତାଙ୍କ ସହଯୋଗୀ ଥିଲେ। ବିଏସ୍‌ପି ସେତେବେଳେ ମଧ୍ୟ ଦଳିତ ନେତା କାଂଶି ରାମଙ୍କ ଅଧୀନରେ ଥିଲା। କିନ୍ତୁ ସପା-ବସପା ମଧ୍ୟରେ ସେ ସମୟରେ ତୀବ୍ର ରାଜନୈତିକ ମତଭେଦ ଦେଖାଦେଇଥିଲା। ୧୯୯୫ ମେ’ ଶେଷ ସୁଦ୍ଧା ଏହା ସ୍ପଷ୍ଟ ହୋଇଗଲା ଯେ, ମୁଲାୟମ ସିଂହ ଯାଦବ ସରକାର ଭାଙ୍ଗିଯିବ। କାଂଶୀ ରାମ ବିଜେପି ପାଖରେ ପହଞ୍ଚିଥିଲେ। ଏହାପରେ ବିଜେପି ସ୍ପଷ୍ଟ ହୋଇଗଲା ଯେ, ମୁଲାୟମ୍‌ ଏବଂ ମାୟାବତୀଙ୍କ ମଧ୍ୟରେ କିଛି ଠିକ୍‌ ନାହିଁ। ୧୯୯୫, ଜୁନ୍‌ ୧ ତାରିଖରେ ମାୟାବତୀ ମୁଲାୟମ ସିଂହ ଯାଦବ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ। କାଂଶୀ ରାମ ମଧ୍ୟ ହସ୍ପିଟାଲ୍‌ରେ ଥାଇ ଏହାକୁ ସମର୍ଥନ ଦେଇଥିଲେ। ପରେ ମୁଲାୟମ ସିଂହ ଯାଦବ ଇସ୍ତଫା ଦେବାପାଇଁ ଦାବି ‌ହୋଇଥିଲା। କିନ୍ତୁ ମୁଲାୟମ ନିଜ ଜିଦ୍‌ରେ ଅଟଳ ରହିଥିଲେ ଏବଂ ଆସ୍ଥା ଭୋଟ୍‌ ଚାହିଥିଲେ। ରାଜ୍ୟପାଳ ମୋତିଲାଲ୍‌ ଭୋରା କିନ୍ତୁଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜୁନ୍‌ ୨ରେ ମାୟାବତୀ ଲକ୍ଷ୍ନୌରେ ରାଜ୍ୟ ଗେଷ୍ଟ୍‌ ହାଉସ୍‌ରେ ବିଧାୟକମାନଙ୍କ ବୈଠକ ଡାକିଥିଲେ। ତେବେ ମୁଲାୟମ ସିଂହ ଯାଦବଙ୍କ ସମର୍ଥକମାନେ ବିଏସ୍‌ପି ନେତାଙ୍କ ଉପରେ ଆକ୍ରମଣ କରିଥି‌ଲେ। ସେମାନେ ମାୟାବତୀଙ୍କ ଉପରେ ଆକ୍ରମଣ କରିଥିଲେ। ମାୟାବତୀ ଏକ ରୁମ୍‌ରେ ଲୁଚି ରହିଥିଲେ। ଏହାକୁ ଗେଷ୍ଟ୍‌ ହାଉସ୍‌ କାଣ୍ଡ ବୋଲି କୁହାଗଲା। ତେବେ ଏହାପରେ କଲ୍‌ରାଜ ମିଶ୍ର ବିଜେପି ବିଧାୟକମାନଙ୍କୁ ନେଇ ରାଜଭବନ ପହଞ୍ଚିଥିଲେ ଏବଂ ମୁଲାୟମ ସରକାର ଭାଙ୍ଗିବା ଦାବି କରି ରାଜ୍ୟପାଳଙ୍କ ସରକାରୀ ବାସଭବନ ନିକଟରେ ଆନ୍ଦୋଳନ କରିଥିଲେ।

ସମ୍ବନ୍ଧିତ ଖବର