ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ କ‌ଲମ୍ବୋ ବାସଭବନରେ ରହି ରନ୍ଧାବଢ଼ା କରୁଛନ୍ତି ପ୍ରତିବାଦକାରୀ

କଲମ୍ବୋ: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେଙ୍କ କଲମ୍ବୋସ୍ଥିତ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’କୁ (ଦେବାଳୟ ବୃକ୍ଷ) ଦଖଲ କରିଥିବା ପ୍ରତିବାଦକାରୀମାନେ ସେଠାରେ ଡେରା ପକାଇ ରନ୍ଧାବଢ଼ା କରୁଥିବା କଥା ରବିବାର ରାତିରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରେ ଥିବା ଜଣେ ପ୍ରତିବାଦକାରୀ ଗଣମାଧ୍ୟମକୁ କହିଛନ୍ତି, ଆମେ, ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରେ ରହି ରୋଷେଇବାସ ଆରମ୍ଭ କରିଛୁ। ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଏବଂ ରାଷ୍ଟ୍ରପତି ରାଜପକ୍ଷେଙ୍କ ଇସ୍ତଫା ପାଇଁ ଆମେ ଆନ୍ଦୋଳନ କରୁଛୁ। ସେମାନେ ଇସ୍ତଫା ଦେଲେ ଯାଇ ଆମେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରୁ ବାହାରକୁ ଚାଲିଯିବୁ।

ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିବାଦକାରୀମାନେ କ୍ୟାରମ୍‌ ଖେଳୁଥିବା, ଗଡ଼ପଡ଼ ହୋଇ ଆରାମ କରୁଥିବା ଏବଂ ପରିସର ମଧ୍ୟରେ ବୁଲାବୁଲି କରୁଥିବା ମଧ୍ୟ ଦେଖାଯାଉଛି।

Image Courtesy of India Today

‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ପ୍ରତିବାଦକାରୀମାନେ କ୍ୟାରମ୍‌ ଖେଳୁଥିବା, ଆଳସ୍ୟପରାୟଣ ହୋଇ ଶୋଉଥିବା ଏବଂ ଚାଲବୁଲ କରୁଥିବା  ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’ ପରିସର ମଧ୍ୟକୁ ଶନିବାର ଦିନ ଅସଂଖ୍ୟ ପ୍ରତିବାଦକାରୀ ଧଷେଇ ପଶିଥିଲେ।

କେବଳ ବିକ୍ରମସିଂଘେ ନୁହନ୍ତି, ପ୍ରତିବାଦକାରୀମାନେ ଶନିବାର ଦିନ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ସରକାରୀ ବାସଭବନ ମଧ୍ୟକୁ ବି ଧଷେଇ ପଶିଥିଲେ। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖାଯାଉଛି ପ୍ରତିବାଦକାରୀମାନେ ‘ସୁଇମିଙ୍ଗ୍‌ ପୁଲ୍‌’ରେ ବୁଡ଼ି ପହଁରୁଛନ୍ତି, ଆଲମାରିରୁ ବାହାର କରି ରାଷ୍ଟ୍ରପତିଙ୍କ ପୋଷାକପତ୍ର ପିନ୍ଧାପିନ୍ଧି କରୁଛନ୍ତି ଓ ମିଛିମିଛିକା କ୍ୟାବିନେଟ୍‌ ବୈଠକ ମଧ୍ୟ ବସାଉଛନ୍ତି।

ସମ୍ପ୍ରତି ରାଷ୍ଟ୍ରପତି ରାଜପକ୍ଷେ ସମୁଦ୍ରରେ ଥିବା କୌଣସି ଗୋଟାଏ ଜାହାଜରେ ଆଶ୍ରୟ ନେଇଛନ୍ତି। ଶ୍ରୀଲଙ୍କାର ଅନ୍ୟତମ ଛାତ୍ରନେତା ଲାହିରୁ ବୀରଶେକର କହିଛନ୍ତି, ଆମ ଆନ୍ଦୋଳନର ଅବସାନ ଘଟିନାହିଁ।

ସମ୍ବନ୍ଧିତ ଖବର