ଧାରା ୩୭୦ ଉଚ୍ଛେଦକୁ କାରଗିଲରେ ବିରୋଧ, ନିୟନ୍ତ୍ରଣରେଖା ଅଶାନ୍ତ

ନୂଆଦିଲ୍ଲୀ : ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ସହ ଜାମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାକୁ ନେଇ କାରଗିଲ ଅଂଚଳରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ଜିଲ୍ଲାର କେତେକ ଲୋକ ଧାରା ୩୭୦ ପ୍ରତ୍ୟାହାର ଓ ରାଜ୍ୟର ବିଭାଜନକୁ ବିରୋଧ କରି ଆଜି ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପଟୁ ଗୁଳିବର୍ଷଣ ଅବ୍ୟାହତ ରହିଛି । ତେବେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି ।

ପୁଲିସ ସୁତ୍ରରୁ ପ୍ରକାଶ ଯେ ଜିଲ୍ଲାରେ ଧାରା ୧୪୪ ଲାଗୁ ହୋଇଥିଲେ ମଧ୍ୟ ତାହାକୁ ଅମାନ୍ୟ କରି ପ୍ରାୟ ୩୦୦ରୁ ଅଧିକ ଲୋକ ଜଏଣ୍ଟ ଆକ୍ସନ କମିଟି ଅଧିନରେ ଧାରା ୩୭୦ ପ୍ରତ୍ୟାହାର ପ୍ରତିବାଦରେ ଏକ ଶୋଭାଯାତ୍ରା କରୁଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । ପୁଲିସ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ହାଜତକୁ ନେଇ ଅଟକ ରଖିଛି । ପୂର୍ବତନ ମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା କମର ଅଲ୍ଲି ଆଖୁନ କହିଛନ୍ତି ଯେ ସରକାର ପୁଣି ଥରେ ଧାରା ୩୭୦ ଲାଗୁ କରିବା ସହ ଜାମ୍ମୁ,କଶ୍ମୀର ଓ ଲଦାଖକୁ ଗୋଟିଏ ରାଜ୍ୟ କରନ୍ତୁ । ସେହିପରି ଜିଲ୍ଲା କଂଗ୍ରେସ ସଭାପତି ନାସିର ହୁସେନ ମୁନସୀ କହିଛନ୍ତି ଯେ ସରକାର ଜାମ୍ମୁ ଓ କଶ୍ମୀର ଲୋକମାନଙ୍କ ମୌଳିକ ଅଧିକାର ଛଡେଇ ନେଇଛନ୍ତି । ଆମେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରୁଥିଲୁ କିନ୍ତୁ ପୁଲିସ ଆମକୁ ଅଟକାଇଦେଇଛି ।

ସମ୍ବନ୍ଧିତ ଖବର