ନୂଆଦିଲ୍ଲୀ: ସିଙ୍ଘୁ ସୀମାରେ ଆୟୋଜିତ ହୋଇଥିବା ଆଜିର ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ। ସରକାର ଆଲୋଚନା କରିବା ପାଇଁ ଗତକାଲି ପ୍ରସ୍ତାବ ଦେଇଥିବା ବେଳେ ଡିସେମ୍ବର ୨୯ ଦିନ ୧୧ଟାରେ ବୈଠକ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି କୃଷକ ସଂଗଠନ।
ସଂଯୁକ୍ତ କିସାନ୍ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, କୃଷକ ପ୍ରତିନିଧି ଏବଂ ଭାରତ ସରକାରଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ ଡିସେମ୍ବର ୨୯ ସକାଳ ୧୧ଟା ସମୟରେ ଅନୁଷ୍ଠିତ ହେବ। ଏଥିସହ କୃଷି ମନ୍ତ୍ରାଳୟର ସଚିବଙ୍କ ଦ୍ବାରା ପଠାଯାଇଥିବା ଚିଠିର ଉତ୍ତରରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଦୁଃଖର ବିଷୟ, ସରକାର ଦେଇଥିବା ଚିଠିରେ ପୂର୍ବ ବୈଠକର ତଥ୍ୟ ଲୁଚାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ଆମେ ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଆସିଛୁ | ସରକାର ଆମ ଦାବିକୁ ବଦଳାଇ ଏଭଳି ଉପସ୍ଥାପନ କରିଛନ୍ତି ଯେମିତି ଆମେ ଏହି ଆଇନରେ ସଂଶୋଧନ ଦାବି କରିଛୁ। ସରକାର ନିଜ ଚିଠିରେ କହିଛନ୍ତି ଯେ, ସେ କୃଷକମାନଙ୍କ କଥା ଶୁଣିବାକୁ ଚାହୁଁଛନ୍ତି। ଯଦି ସରକାର ପ୍ରକୃତରେ ଏହା କରିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ, ଆମେ ଆଲୋଚନାରେ ଉଠାଇଥିବା ପ୍ରସଙ୍ଗଗୁଡିକୁ ଭୁଲ ଭାବେ ଦର୍ଶାଇବା ବନ୍ଦ କରନ୍ତୁ ।
/sambad/media/post_attachments/wp-content/uploads/2020/12/t-220.jpg)
ଉଲ୍ଲେଖଯୋଗ୍ୟ, ଗତ ୧ମାସ ହେଲାଣି ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏ ମଧ୍ୟରେ କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ଗ୍ରହଣ କରିନେବା ପାଇଁ ଚାଷୀମାନଙ୍କୁ ରାଜି କରିବାରେ ବିଫଳ ହୋଇଥିବା ଦେଖାଯାଇଛି। କେନ୍ଦ୍ର ସରକାର ଚାଷୀଙ୍କ ନିକଟକୁ ସମାଧାନ ପାଇଁ ଅନେକ ପ୍ରସ୍ତାବ ପଠାଇଥିଲେ ମଧ୍ୟ ଏହାକୁ ମାନିବାକୁ ଚାଷୀ ମନା କରିଦେଇଛନ୍ତି। ତେବେ ଡିସେମ୍ବର ୨୯ରେ କିଛି ସମାଧାନର ବାଟ ବାହାରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।