ତାଲିବାନ ବିରୋଧରେ ଅସନ୍ତୋଷର ନିଆଁ

ବିଭିନ୍ନ ସହରରେ ଆନ୍ଦୋଳନକାରୀଙ୍କୁ ଗୁଳିମାଡ଼, ଆମେରିକାକୁ ଅସ୍ତ୍ର ସହାୟତା ମାଗିଲେ ତାଲିବାନ ବିରୋଧୀ ଗୋଷ୍ଠୀ

କାବୁଲ: ଶାନ୍ତିର ପ୍ରତିଶ୍ରୁତି ଦେଇଥିବା ତାଲିବାନ ଏବେ ଗୋଟିଏ ପରେ ଗୋଟିଏ ବର୍ବର କାଣ୍ଡ ଘଟାଇ ଚାଲିଛି। ଗୁରୁବାର ପୁଣିଥରେ ଆଫଗାନିସ୍ତାନର ବିଭିନ୍ନ ସହରରେ ତାଲିବାନ ଆତଙ୍କବାଦୀ ନିରୀହ ଲୋକଙ୍କ ଉପରେ ଗୁଳିମାଡ଼ କରିଛନ୍ତି। ତେବେ ଗୁଳିମାଡ଼ ଓ ଆତଙ୍କରାଜ ଭିତରେ ମଧ୍ୟ ତାଲିବାନ୍‌କୁ ବିରୋଧ କରି ସାଧାରଣ ଜନତା ରାସ୍ତାକୁ ଓହ୍ଲାଉଛନ୍ତି। ସେମାନେ ତାଲିବାନ୍‌ର ପତାକା ଚିରିବା ସହ ଆଫଗାନିସ୍ତାନର ଜାତୀୟ ପତାକା ଉଡ଼ାଇ ତାଲିବାନ୍‌ ବିରୋଧୀ ସ୍ଲୋଗାନ୍‌ ଦେଉଥିବା ଦେଖିବାକୁ ମିଳିଛି। ତାଲିବାନ ଗୁଳିମାଡ଼ରେ ଆଫଗାନିସ୍ତାନର ଅସାଦାବାଦରେ ଅନେକ ମୃତାହତ ହୋଇଛନ୍ତି। ଆଜି କେତେକ ସ୍ଥାନରେ ଦଳାଚକଟା ମଧ୍ୟ ହୋଇଛି। ଜଲାଲାବାଦ ଓ କାନ୍ଦାହାରରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ତାଲିବାନ ବିରୋଧରେ ଅସ୍ତ୍ର ଉଠାଇବାକୁ ସାଧାରଣ ଜନତା ପ୍ରସ୍ତୁତ ହେଉଥିବା ବେଳେ ଏ ଦିଗରେ ଆମେରିକା ସହାୟତା କରୁ ବୋଲି ପୂର୍ବରୁ ତାଲିବାନ ବିରୋଧରେ ଲଢ଼ିଥିବା ବିଭିନ୍ନ ସଂଗଠନ କହିଛନ୍ତି। ତାଲିବାନ ବିରୋଧୀ ନେତା ଅହମ୍ମଦ ମାସୁଦ୍‌ କହିଛନ୍ତି, ଆମେରିକା ଏବେ ବି ଚାହିଁଲେ ପରିସ୍ଥିତି ବଦଳିଯିବ। ତେବେ ଏଥିପାଇଁ ଆମ ଯୋଦ୍ଧାଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅହମ୍ମଦ ମାସୁଦଙ୍କ ପିତା ପୂର୍ବତନ ଆଫ୍‌ଗାନ କମାଣ୍ଡର ଶାହ ମାସୁଦଙ୍କୁ ତାଲିବାନ ବାହିନୀ ଅତି ବର୍ବରତାର ସହ ହତ୍ୟା କରିଥିଲା
ତାଲିବାନ ବିରୋଧରେ ରାସ୍ତାକୁ ଓହ୍ଲାଉଥିବା ଲୋକେ କହିଛନ୍ତି ଯେ ଦେଶର ପତାକା ହେଉଛି ଆମର ପରିଚୟ। ତାଲିବାନ ଜାତୀୟ ପତାକାକୁ ନିଷିଦ୍ଧ କରିପାରିବ ନାହିଁ ଏବଂ ପତାକାର ସୁରକ୍ଷା ପାଇଁ ଆମେ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ତେବେ ତାଲିବାନ ବାହିନୀ ଆଜି ଯେଉଁଭଳି ଭାବେ ଲୋକଙ୍କ ଉପରେ ଗୁଳିମାଡ଼ କରିଛି ଏବଂ ଅନେକ ସ୍ଥାନରୁ ଶବ ଗାଏବ କରିଛି ତାହାକୁ ନେଇ ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ଅସରଫ୍‌ ଘନି ସରକାରରେ ଉପ ରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ କହିଛନ୍ତି, ତାଲିବାନ ନିରୀହ ଲୋକଙ୍କୁ ଏଭଳି ହତ୍ୟା କରିପାରିବ ନାହିଁ ଏବଂ ଏହା ବିରୋଧରେ ଆଗକୁ ଭୟାନକ ଜନ ପ୍ରତିରୋଧ ଦେଖିବାକୁ ମିଳିବ। ସମଗ୍ର ଆଫଗାନିସ୍ତାନକୁ ତାଲିବାନ କେବେ ବି ନିଜ ନିୟନ୍ତ୍ରଣରେ ରଖିପାରିବ ନାହିଁ ସେ କହିଛନ୍ତି।

ସମ୍ବନ୍ଧିତ ଖବର