ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ସିଡନୀ ଓ ମେଲବୋର୍ଣ୍ଣ ପରି ପ୍ରମୁଖ ସହରରେ ‘ମାର୍ଚ୍ଚ ଫର ଅଷ୍ଟ୍ରେଲିଆ’ ବ୍ୟାନରରେ ହଜାର ହଜାର ଲୋକ ପ୍ରବାସୀ ବିରୋଧୀ ବିକ୍ଷୋଭରେ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟତଃ ଭାରତୀୟ ପ୍ରବାସୀଙ୍କୁ ବିରୋଧ କରି ଏଭଳି ବିକ୍ଷୋଭ ହୋଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ଅସ୍ଥିରତା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ସରକାର ଏଭଳି ବିକ୍ଷୋଭକୁ ‘ନିଓ-ନାଜି’ ଗୋଷ୍ଠୀର ଷଡ୍ଯନ୍ତ୍ର ଓ ଘୃଣା ପ୍ରସାରଣର ମାଧ୍ୟମ କହି ନିନ୍ଦା କରିଛି। ବିକ୍ଷୋଭକାରୀମାନେ ଭାରତୀୟ ପ୍ରବାସୀଙ୍କୁ ଟାର୍ଗେଟ କରି ସ୍ଲୋଗାନ ଦେବାସହ ବ୍ୟାନର, ପୋଷ୍ଟର ପ୍ରଦର୍ଶନ କରିଛନ୍ତି। ଦେଶର ଜନସଂଖ୍ୟାର ୩%ରୁ ଅଧିକ ଭାରତୀୟ ଥିବାରୁ ଏହାକୁ ନେଇ ଆନ୍ଦୋଳନକାରୀମାନେ ଘୃଣା ମନ୍ତବ୍ୟ ଦେଇଛନ୍ତି। ୨୦୧୩ରୁ ୨୦୨୩ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୮୪୫,୮୦୦ରେ ପହଞ୍ଚିଛି।
ପ୍ରଚାର ପୋଷ୍ଟରରେ ଦାବି କରାଯାଇଛି ଯେ ଭାରତୀୟଙ୍କ ସଂଖ୍ୟାବୃଦ୍ଧି ଅଷ୍ଟ୍ରେଲିଆର କୌଣସି ସାଂସ୍କୃତିକ ପରିବର୍ତ୍ତନ ନୁହେ, ଏହା ସମ୍ପୂର୍ଣ୍ଣ କାୟାବିସ୍ତାର ଏବଂ ଦେଶର ମୂଳ ନାଗରିକଙ୍କ ପାଇଁ ବିପଦ। ଦେଶର ଶ୍ରମ ମନ୍ତ୍ରୀ ମୁରେ ଵାଟ୍ କହିଛନ୍ତି, ‘ଆମେ ଘୃଣା ଓ ବିଭାଜନ ସୃଷ୍ଟି କରୁଥିବା ବିକ୍ଷୋଭକୁ ସମର୍ଥନ କରୁନାହୁଁ।’ ‘ଅଷ୍ଟ୍ରେଲିଆ କାଉନସିଲ ଅଫ ସୋସିଆଲ ସର୍ଭିସ’ ଜାତିବାଦ ଓ ଧର୍ମାନ୍ଧତାକୁ ପ୍ରତ୍ୟାଖ୍ୟାନ କରି ଦେଶର ବିବିଧତାକୁ ଶକ୍ତି ଭାବେ ଉଲ୍ଲେଖ କରିଛି।