ବେଙ୍ଗାଲୁରୁ: ଶନିବାର ସକାଳେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ସରକାର ଟିପୁ ସୁଲ୍ତାନ୍ ଜୟନ୍ତୀ ପାଳନ କରୁଥିବା ବେଳେ ମାଡ଼ିକେରି ପ୍ରତିବାଦ ପ୍ରଦର୍ଶନ ବ୍ୟାପିଛି।
ଭାରତୀୟ ଜନତା ପାଟି ଏବଂ ଅନ୍ୟାନ୍ୟ ଦକ୍ଷିଣପନ୍ଥୀ ସଙ୍ଗଠନ ନେତୃତ୍ୱରେ ଟିପୁ ବିରୋଧୀ ଆନ୍ଦୋଳନ ଯୋଗୁଁ ଅନେକ ପ୍ରତିବାଦକାରୀ ଗିରଫ ହୋଇଛନ୍ତି।
ରାଜ୍ୟ ସରକାର ଟିପୁ ସୁଲ୍ତାନ୍ଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ବିବେଚନା କରୁଥିବା ବେଳେ ବିଜେପି ଏବଂ ତାହାର ମିତ୍ରମାନେ ତାଙ୍କୁ ଧର୍ମାନ୍ଧ ଭାବେ ଦେଖୁଛନ୍ତି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ମଧ୍ୟ ସ୍ୱାସ୍ଥ୍ୟ ଠିକ୍ ନ ଥିବା କହି ଏହି ଉତ୍ସବରେ ଯୋଗ ଦେଇ ନାହାନ୍ତି। ଉପମୁଖ୍ୟମନ୍ତ୍ରୀ ପରମେଶ୍ୱର ମଧ୍ୟ ଏଥିରେ ଯୋଗ ଦେଇ ନାହାନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ସିଦ୍ଧରମୟାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟିପୁ ଜୟନ୍ତୀକୁ କୁମାରସ୍ୱାମୀ ସମର୍ଥନ କରନ୍ତି ନାହିଁ।
ଗତ ସପ୍ତାହରେ କର୍ଣ୍ଣାଟକ ସରକାର ଘୋଷଣା କରିଥିଲେ ଯେ ବିରୋଧ ସତ୍ତ୍ୱେ ସେମାନେ ଟିପୁ ସୁଲ୍ତାନ୍ ଜୟନ୍ତୀ ପାଳନ କରିବେ। ତେଣୁ ନଭେମ୍ବର ୧୦ ତାରିଖ ଦିନ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବୋଲି ବିଜେପି କହିଥିଲା।
ହିଂସାକାଣ୍ଡ ଆଶଙ୍କାରେ ରାଜ୍ୟ ସରକାର ସଜାଗ ରହିଛନ୍ତି। ଶ୍ରୀରଙ୍ଗାପଟନମ୍, କୋଡ଼ାଗୁ ଏବଂ ଚିତ୍ରଗୁଡ଼ାରେ ଶୁକ୍ରବାର ସନ୍ଧ୍ୟା ୬ଟାରୁ ରବିବାର ସକାଳ ୬ ଟା ଯାଏଁ ୧୪୪ ଧାରା ବଳରେ ନିଷିଦ୍ଧାଦେଶ ଜାରି କରାଯାଇଛି।
ପଟୁଆର, ପତାକା ଓ ବ୍ୟାନର୍ ପ୍ରଦର୍ଶନ ଏବଂ ସ୍ଲୋଗାନ୍ ଦେବା ମଧ୍ୟ ନିଷିଦ୍ଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/bengaluru.jpeg)