ନୂଆଦିଲ୍ଲୀ: ସଂସଦର ଉଭୟ ଗୃହ ଆଜି ବି ସ୍ବାଭାବିକ ହୋଇପାରି ନାହିଁ। ବିରୋଧୀମାନେ ପେଗାସସ୍‌ ଗୁଇନ୍ଦାଗିରି ଏବଂ କୃଷି ବିଲ୍ ପ୍ରସଙ୍ଗରେ ଉଭୟ ଗୃହରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି। ଫଳରେ ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ତେବେ ହଟ୍ଟଗୋଳ ଏବଂ ସ୍କୋଗାନ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି ୩ଟି ବିଲ୍ ଆଗତ କରିଛନ୍ତି। ସେଥିରୁ ଦୁଇଟି ବିଲ୍ ଗୃହୀତ ହୋଇଯାଇଛି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଦୁଇଟି ବିଲ୍ ବିନା ବିତର୍କରେ ଗୃହୀତ ହୋଇଛି। ସେହି ବିଲ୍ ଦୁଇଟି ହେଲା ଫ୍ୟାକ୍ଟରିଂ ରେଗୁଲେସନ ଆମେଣ୍ଟମେଣ୍ଟ ବିଲ୍-୨୦୨୦ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ସ ଅଫ୍ ଫୁଡ୍ ଟେକ୍ନୋଲୋଜି, ଏଣ୍ଟରପ୍ରେନ୍ୟୁୟରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ବିଲ୍-୨୦୨୧। ଫ୍ୟାକ୍ଟରିଂ ରେଗୁଲେସନ ଆମେଣ୍ଟମେଣ୍ଟ ବିଲ୍-୨୦୨୦ ଆଗତ କରି ଅର୍ଥମନ୍ତ୍ରୀ କହିଥିଲେ ଏମ୍‌ଏସ୍‌ଏମଇ କ୍ଷେତ୍ରକୁ ସହାୟତା କରିବା ପାଇଁ ଏହି ବିଲ୍ ଉଦ୍ଦିଷ୍ଟ। ୟୁ କେ ସିହ୍ନା କମିଟିର ସୁପାରିସ ଅନୁସାରେ ଏହି ବିଲ୍‌ରେ ସଂଶୋଧନ ପ୍ରସ୍ତାବ ଆଗତ କରାଯାଇଛି। ଅପରାହ୍ଣ ୩ଟାରେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ପରେ ଦୁଇଟି ଯାକ ବିଲ୍‌କୁ ଅର୍ଥମନ୍ତ୍ରୀ ପୃଥକ ଭାବେ ଆଗତ କରିଥିଲେ।

Advertisment

ଏଥିସହିତ ଅର୍ଥମନ୍ତ୍ରୀ ଆଜି ଲୋକସଭାରେ ଆଇବିସି(ସଂଶୋଧନ) ବିଲ୍‌-୨୦୨୧ ମଧ୍ୟ ଆଗତ କରିଥିଲେ। ଗତ ଏପ୍ରିଲ ୪ ତାରିଖରେ ଘୋଷଣା ହୋଇଥିବା ଏସଂକ୍ରାନ୍ତ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ଉକ୍ତ ବିଲ୍ ଆଗତ କରାଯାଇଛି। ‌ଅନ୍ୟପକ୍ଷରେ ସୋମବାର ପ୍ରଥମାର୍ଦ୍ଧରେ ରାଜ୍ୟସଭା ୩ ଥର ମୁଲତବୀ ହୋଇଥିଲା। ବିରୋଧୀ ସଦସ୍ୟମାନେ ହୋହଲ୍ଲା ଜାରି ରଖିବାରୁ ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡ଼ୁ କହିଥିଲେ, କିଛି ସଦସ୍ୟଙ୍କ ବିଶୃଙ୍ଖଳା ପାଇଁ ଅଧିକାଂଶ ସାଂସଦ ପ୍ରଶ୍ନ ପଚାରିବାରୁ ନାହାନ୍ତି। ଗୁରୁତ୍ବପ୍ରସଙ୍ଗ ଆଲୋଚନା ହେଇପାରୁ ନାହିଁ। ସୋମବାର ଶୂନ୍ୟକାଳରେ ୧୨ଟି ପ୍ରସଙ୍ଗ ଆଲୋଚନା ପାଇଁ ଗ୍ରହଣ କରାଯାଇଥିଲା ବୋଲି ସେ କହିଥିଲେ। ଦିନକୁ ଦିନ ଆମେ ଅସହାୟ ହୋଇପଡ଼ୁଛି କହି ରାଜ୍ୟସଭାକୁ ପ୍ରଥମେ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନରେ ଯେତେବେଳେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ବିରୋଧୀମାନେ ସ୍ଳୋଗାନ ଦେଇ ଚାଲିଥିଲେ। ତେବେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ଥିବା ସଦସ୍ୟମାନଙ୍କୁ ଉପାଧ୍ୟକ୍ଷ ହରିବଂଶ ସେମାନଙ୍କୁ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ତାହା ଶୁଣି ନଥିଲେ। ଫଳରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସେ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବିରୋଧୀ ସଦସ୍ୟଙ୍କ ପାଟିତୁଣ୍ଡ ଭିତରେ ମଧ୍ୟ ମେରିଟାଇମ ଏଡ୍‌ସ ଟୁ ନେଭିଗେସନ୍ ବିଲ ୨୦୨୧ ଉପରେ ଆଲୋଚନା ହୋଇଥିଲା।

ଏଥିସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ବାରା ଆଗତ ଇଣ୍ଡିସେଣ୍ଟ୍ ରିପପ୍ରଜେଣ୍ଟେସନ୍ ଅଫ୍ ଓମେନ (ପ୍ରୋହିଭିସନ) ସଂଶୋଧନ ବିଲ ୨୦୧୨କୁ ପ୍ରତ୍ୟାହାର କରି ନିଆଯାଇଥିଲା। ଗୃହ କାର୍ଯ୍ୟ ଚାଲିବାର କିଛି ମିନିଟ ମଧ୍ୟରେ ପ୍ରଥମେ ଅପରାହ୍ଣ ୩ଟା, ପରେ ୪ଟା ଏବଂ ପରେ ୫ଟା ଏବଂ ଶେ‌ଷରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁତଲବୀ ଘୋଷଣା କରାଯାଇଥିଲା। ତେବେ ୨୨ତମ କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ଯବାନମାନଙ୍କ ପାଇଁ ଉଭୟ ଗୃହରେ ନିରବ ପ୍ରାର୍ଥ‌ନା କରାଯାଇଥିଲା। ଏଥିସହିତ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଥିଲା। ସଂସଦରେ ଅଚଳାବସ୍ଥା ଜାରି ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଥିଲେ।