ହାଇଦ୍ରାବାଦ: ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ପୂର୍ବ ପାର୍ଶ୍ୱରେ ତେଲେଙ୍ଗାନା ସରକାରଙ୍କ ଜମି ଅଧିଗ୍ରହଣକୁ ବିରୋଧ କରିବାରୁ ପୁଲିସ ରବିବାର ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଙ୍କୁ ଅଟକ ରଖିଛି। ସେଠାରେ ବୁଲଡୋଜର ଦେଖିବା ପରେ ବିକ୍ଷୋଭକାରୀ ଛାତ୍ରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ପିଲା ମେସିନ୍ ଉପରକୁ ଚଢ଼ି ପୁଲିସ ବିରୋଧରେ ସ୍ଲୋଗାନ ଦେବା ସହ ସେମାନେ ଫେରିଯିବାକୁ ଦାବି କରିଥିଲେ। ସମୁଦାୟ ୫୩ ଜଣ ଛାତ୍ରଛାତ୍ରୀଙ୍କୁ ପୁଲିସ ଅଟକ ରଖିଥିବା ବେଳେ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

Advertisment

ତେଲେଙ୍ଗାନା ସରକାର ଏହି ଜମିର ବିକାଶ ଓ ସେଠାରେ ଏକ ଆଇଟି ପାର୍କ ସ୍ଥାପନ କରିବାକୁ ଯୋଜନା କରୁଥିବାବେଳେ ଏହି ଅଞ୍ଚଳରେ ୪୦୦ ଏକର ଜମି ଅଧିଗ୍ରହଣକୁ ନେଇ ଏହି ବିକ୍ଷୋଭ କରାଯାଇଥିଲା। ଏହି ଜମି ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସୀମାବର୍ତ୍ତୀ। ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଓ ଅନ୍ୟମାନେ ପରିବେଶଗତ କାରଣ ଦର୍ଶାଇ ଜମି ଅଧିଗ୍ରହଣକୁ ବିରୋଧ କରିଛନ୍ତି। ତେବେ ବିକ୍ଷୋଭକାରୀ ଛାତ୍ରମାନେ ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ କିଛି ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ପୁଲିସ କହିଛି। ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୁଲିସ ଜୋରଜବରଦସ୍ତ ଅଟକ ରଖିବା ସହ ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରିଥିଲା। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (ୟୁଓଏଚ୍ଏସ୍ୟୁ) ଏକ ବିବୃତିରେ ପୁଲିସର କାର୍ଯ୍ୟାନୁଷ୍ଠାନ ଏବଂ ଛାତ୍ରମାନଙ୍କୁ ଅଟକ ରଖିବାକୁ ନିନ୍ଦା କରିଛି।