ଗୁରୁଦ୍ବାର ନନ୍‌କାନା ସାହେବରେ ଆକ୍ରମଣ ପରେ ଦିଲ୍ଲୀରେ ଆନ୍ଦୋଳନ, ସିସିଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଆତ୍ମନୀରିକ୍ଷଣ ପାଇଁ କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ଗୁରୁଦ୍ବାରା ନନ୍‌କାନା ସାହେବରେ ଶତାଧିକ ଉପଦ୍ରବକାରୀ ପଥର ମାଡ଼ କରିବା ପରେ ରାଜଧାନୀ ଦିଲ୍ଳୀରେ  ତାହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଳୀ ଶିଖ୍‌ ଗୁରୁଦ୍ବାର ମ୍ୟାନେଜମେଣ୍ଟ୍‌ କମିଟି (ଜିଏସ୍‌ଜିଏମ୍‌ସି)ର ସଦସ୍ୟ ଓ ଶିରୋମଣି ଅକାଳୀ ଦଳ ପକ୍ଷରୁ ଶନିବାର ପାକିସ୍ତାନ ଉଚ୍ଚ ଆୟୋଗ ନିକଟରେ ବିରୋଧ ପ୍ରଦର୍ଶନ କରାଯାଇଛି।

ଅପରହ୍ନ ପ୍ରାୟ ୧ଟା ବେଳେ ଜିଏସ୍‌ଜିଏମ୍‌ସି ଓ ଶିରୋମଣି ଅକାଳୀ ଦଳ ମିଶି ଚାଣକ୍ୟପୁରି ନିକଟରେ ଏହି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ସମୟରେ ସେମାନେ ପାକିସ୍ତାନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରିଥିଲେ। ଭାରତୀୟ  ଶିଖ୍‌ ସଂପ୍ରଦାୟ ପକ୍ଷରୁ କୁହାଯାଇଛି ଯେ ସେମାନେ ପାକିସ୍ତାନ ଉଚ୍ଚ ଆୟୋଗଙ୍କୁ ସ୍ମାରକପତ୍ର ଦେଇ ପାକିସ୍ତାନରେ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା କାହିଁକି ପରିସ୍ଥିତିକୁ ସମ୍ଭାଳି ପାରିଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।

Oneindia Hindi

ଏ ନେଇ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରି କହିଛନ୍ତି, ‘ଯେଉଁମାନେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରୁଛନ୍ତି ସେମାନେ ଗୁରୁଦ୍ବାରା ନନ୍‌କାନା ସାହେବରେ ଘଟିଥିବା ଘଟଣା ପରେ ଆତ୍ମନୀରିକ୍ଷଣ କରିବା ଉଚିତ।’ ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ‘ଗୁରୁଦ୍ବାରା ନନ୍‌କାନା ସାହେବ ପରି ଏକ ପବିତ୍ର ସ୍ଥାନରେ ଗତକାଲି ଘଟିଥିବା ଘଟଣା ପାକିସ୍ତାନର ସଂଖ୍ୟାଲଘୁମାନଙ୍କ ସ୍ଥିତିକୁ ଆହୁରି ସ୍ପଷ୍ଟ କରିଛି।’

ଉଲ୍ଳେଖଯୋଗ୍ୟ, ମହମ୍ମଦ ହାସନ୍‌ ନାମକ ଯୁବକ ଜଗଜିତ କୌର ନାମ୍ନୀ ଜଣେ ଶିଖ୍‌ ଯୁବତୀଙ୍କୁ ଅପହରଣ ପରେ ତାକୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇ ବିବାହ କରିଥିଲା। ତେବେ ଶିଖ୍‌ମାନେ ଏହାକୁ ବିରୋଧ କରିବାରୁ ସ୍ଥାନୀୟ ମୁସ୍‌ଲିମ ଯୁବକମାନେ ପ୍ରବଳ ପଥର ମାଡ଼ କରିଛନ୍ତି। ସେମାନେ ଗୁରୁଦ୍ବାରା ଭାଙ୍ଗିଦେବେ ବୋଲି ଧମକ ଦେଇଛନ୍ତି ଏବଂ ନାନ୍‌କନାରେ କୌଣସି ଜଣେ ହେଲେ ଶିଖଙ୍କୁ ରଖାଇ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି। ନନ୍‌କାନା ସା‌ହେବର ନାମ ପରିବର୍ତ୍ତନ କରି ସେମାନେ ଗୁଲାମ୍‌ ଏ ମୁସ୍ତାଫା ରଖିବେ ବୋଲି କହିଛନ୍ତି। ଭାରତ ଉକ୍ତ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର