କାଠମାଣ୍ଡୁ : ନେପାଳରେ ରାଜତନ୍ତ୍ର ଓ ହିନ୍ଦୁ ରାଷ୍ଟ୍ରର ଦାବି ପୁଣି ତୀବ୍ର ହେବାରେ ଲାଗିଛି। ଏଥିପାଇଁ ଗୁରୁବାର ରାଜଧାନୀ କାଠମାଣ୍ଡୁରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରିସ୍ଥିତି ଏତେ ସଂଗୀନ ହୋଇପଡ଼ିଥିଲା ଯେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠି ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା, ଯେଉଁଥିରେ ଉଭୟ ପୁଲିସ ଓ ବିକ୍ଷୋଭକାରୀ ସାମାନ୍ୟ ଆହତ ହୋଇଥିଲେ।
୨୦୦୮ରେ ଉଚ୍ଛେଦ ହୋଇଥିବା ରାଜତନ୍ତ୍ରକୁ ଫେରାଇ ଆଣିବା ଏବଂ ନେପାଳର ହିନ୍ଦୁ ରାଷ୍ଟ୍ରମାନ୍ୟତା ଫେରାଇ ଆଣିବାକୁ ହଜାର ହଜାର ବିକ୍ଷୋଭକାରୀ ଦାବି କରୁଥିଲେ। କୁହାଯାଉଛି ଯେ ସେଠାରେ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ରଙ୍କ ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ। ବିକ୍ଷୋଭ ସମୟରେ ସେମାନେ ଲଗାତାର ଜ୍ଞାନେନ୍ଦ୍ରଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିଲେ।
ବିକ୍ଷୋଭକାରୀମାନେ କହିଥିଲେ ଯେ ରାଜା ଆମ ପାଇଁ ଜୀବନଠାରୁ ଅଧିକ ଏବଂ ଆମେ ଗଣତନ୍ତ୍ର ନୁହେଁ ବରଂ ରାଜତନ୍ତ୍ର ଚାହୁଁଛୁ। ନେପାଳରେ ଗଣତନ୍ତ୍ର ଆସିବା ପରେ ହିନ୍ଦୁ ଧର୍ମ ପ୍ରତି ବିପଦ ମାଡ଼ିଆସିଛି । ସେମାନେ ଅଭିଯୋଗ କରିଛନ୍ତି ଯେ ନେପାଳ ସରକାର, ରାଜନୈତିକ ଦଳ ଏବଂ ସମଗ୍ର ପ୍ରଶାସନିକ କର୍ମଚାରୀ ଦୁର୍ନୀତିଗ୍ରସ୍ତ ହୋଇଯାଇଛନ୍ତି। ଏହି କାରଣରୁ ଏହି ବିଫଳ ଶାସନକୁ ଉଚ୍ଛେଦ କରିବାର ଆବଶ୍ୟକତା ରହିଛି ବୋଲି ସେ ବିଶ୍ୱାସ କରନ୍ତି । ଏହାସହିତ ୧୯୯୦ରେ ତତକାଳୀନ ରାଜା ଜ୍ଞାନେନ୍ଦ୍ରଙ୍କ ଦ୍ବାରା ଲାଗୁ ସମ୍ବିଧାନକୁ ଲାଗୁ କରିବାକୁ ଦାବି କରାଯାଉଛି ।