ସାବରିମାଲା ମନ୍ଦିରରେ ବିରୋଧ ପ୍ରଦର୍ଶନ ଗ୍ରହଣୀୟ ନୁହେଁ: କେରଳ ହାଇକୋର୍ଟ

ତିରୁବନନ୍ତପୁରମ୍‌: ଗତ ମାସରେ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରୁଥିବା ବେଳେ ଗିରଫ ହୋଇଥିବା ଯୁବକଙ୍କ ଜାମିନ୍‌ ଆବେଦନକୁ କେରଳ ହାଇକୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି। ଏଥିସହିତ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ବିରୋଧ ପ୍ରଦର୍ଶନ ଗ୍ରହଣୀୟ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି।

କେରଳ ହାଇକୋର୍ଟ କୋଚ୍ଚିରେ ବସବାସ କରୁଥିବା ଗୋବିନ୍ଦ ମୁଧୁସୂଦନଙ୍କ ଜାମିନ୍‌ ଆବେଦନ ଖାରଜ କରି ଦେଇଛନ୍ତି। ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହିଛି କି, ‘ ସାବରିମାଲାରେ ବିରୋଧ ପ୍ରଦର୍ଶନ ଗ୍ରହଣୀୟ ନୁହେଁ, କାରଣ ଏହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିରୋଧ କରୁଛି। ଯଦି ଏହି ଆବେଦନ ଉପରେ ବିଚାର କରାଯାଏ, ତାହା ଭୁଲ ବାର୍ତ୍ତା ଦେବ। ଫଳରେ ବାରମ୍ବାର ଏଭଳି ଘଟଣାମାନ ଘଟୁଥିବ।

ଉଲ୍ଲେଖଯୋଗ୍ୟ, ମୁଧୁସୂଦନଙ୍କୁ ଯେତେବେଳେ ଗିରଫ କରାଯାଇଥିଲା ସେତେବେଳେ ମନ୍ଦିର ଭିତରକୁ ୧୦ରୁ ୫୦ବର୍ଷ ବର୍ଗର ମହିଳାଙ୍କ ପ୍ରବେଶକୁ ବିରୋଧ କରାଯାଉଥିଲା। ଏହି ସମୟରେ ପୁଲିସ ୩୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା ବେଳେ ପାଖାପାଖି ୫୪୦ଟି ମାମଲା ରୁଜୁ ହୋଇଥିଲା। ଏଥିସହିତ ପାଖାପାଖି ୧୦୦ଜଣଙ୍କୁ ବିଚାରବିଭାଗୀୟ ହେପାଜତକୁ ନିଆଯାଇଥିବା ସୂଚନା ମିଳିଥିଲା।

ଗତ ମାସରେ ପ୍ରଦର୍ଶନକାରୀ ୧୨ଜଣ ମହିଳା ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅଟକାଇ ଦେଇଥିଲେ। ।ଏମିତି ଏକ ବିରୋଧ ପ୍ରଦର୍ଶନ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ନଭେମ୍ବର ୫ରେ ମନ୍ଦିର ଖୋଲା ଯାଇଥିଲା। ଏହାପରେ ତିନିଜଣ ମହିଳା ଶ୍ରଦ୍ଧାଳୁ ବିନା ପ୍ରାର୍ଥନାରେ ମନ୍ଦିରରୁ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର