ସାବରିମାଲାରେ ସ୍ଥିତି ବିସ୍ଫୋରକ, ମହିଳାମାନଙ୍କୁ ଅଟକାଇଲେ ବିକ୍ଷୋଭକାରୀ

ତିରୁଅନନ୍ତପୁରମ : କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ସାବରିମାଲାରେ ଆଜି କେତେକ ଐତିହାସିକ ଘଟଣା ଘଟିବାକୁ ଯାଉଛି । ଆଜି ଅପରାହ୍ନ ୫ଟା ରେ ପ୍ରଥମ ଥର ପାଇଁ ଏହି ମନ୍ଦିର ସବୁ ବୟସର ମହିଳାଙ୍କ ପାଇଁ ଖୋଲିବାକୁ ଯାଉଛି । ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଆଜି ଏହି ମନ୍ଦିରରେ କେତେକ ମହିଳା ପ୍ରବେଶ କରିବାକୁ ଯାଉଥିବାବେଳେ ବିକ୍ଷୋଭକାରୀମାନେ ତାଙ୍କୁ ଅଟକାଇଛନ୍ତି । ଏପରିକି କେତେକ ସାମ୍ବାଦିକାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି । ରାଜନୈତିକ ଲାଭ ପାଇଁ ବିଜେପି ଓ ସଂଘ ପରିବାର ପକ୍ଷରୁ ଏସବୁ ବିକ୍ଷୋଭ କରାଯାଉଛି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ପି.ବିଜୟନ ଅଭିଯୋଗ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ପାଳନ କରାଯିବ ଓ ଯେଉଁ ମହିଳା ମନ୍ଦିରରେ ପ୍ରବେଶ କରିବାକୁ ଚାହିଁବେ ତାଙ୍କୁ ସୁରକ୍ଷା ଦିଆଯିବ ବୋଲି ସେ କହିଛନ୍ତି ।

ଗତକାଲି ଏହି ସମସ୍ୟାର ଏକ ସମାଧାନ ବାହାର କରିବାକୁ ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ, ଆୟାପ୍ପା ଭକ୍ତ ଓ ଏଥିରେ ଜଡିତ ଅନ୍ୟ ପକ୍ଷମାନଙ୍କ ସହ ହୋଇଥିବା ଏକ ଆଲୋଚନା ବିଫଳ ହୋଇଥିଲା ।

ସମ୍ବନ୍ଧିତ ଖବର