ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ଗୋରା ପୁଲିସ ଅଧିକାରୀଙ୍କ ବର୍ବରତା ଶିକାର ହୋଇ ଜଣେ କଳାଲୋକଙ୍କ ମୃତ୍ୟୁ ମାମଲାରେ ଡେଟ୍ରଏଟ୍ ସହରରେ ଡେଟ୍ରଏଟ୍ ପବ୍ଲିକ୍ ସେଫ୍ଟି ହେଡ୍କ୍ବାର୍ଟର ସାମ୍ନାରେ ଲୋକମାନେ ସମବେତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଲୋକମାନେ ‘‘ନ୍ୟାୟ ନାହିଁ ତ ଶାନ୍ତି ନାହିଁ’’, ‘‘ପୁଲିସ୍ ବର୍ବରତା ବନ୍ଦ କର’’ ଆଦି ନାରା ଦେଇଥିଲେ। ଏହି ଭଳି ନ୍ୟୁୟର୍କ ସିଟି, ମନ୍ହଟନ୍, ୱାସିଙ୍ଗ୍ଟନ୍ ସିଟିରେ ଲୋକମାନେ ବିକ୍ଷୋଭ ପ୍ରଦାର୍ଶନ କରିଛନ୍ତି। ୱାସିଙ୍ଗ୍ଟନ୍ରେ ହ୍ୱାଇଟ୍ହାଉସ୍ ସାମ୍ନାରେ ଲୋକମାନେ ନାରାବାଜି କରିଛନ୍ତି।
ତେଣେ ଆଟ୍ଲାଣ୍ଟାରେ ନାଗରିକ ଅଧିକାର କିମ୍ବଦନ୍ତି ମାର୍ଟିନ୍ ଲୁଥର କିଙ୍ଗ୍ଙ୍କ ସାନ ଝିଅ ବର୍ନାଇସ୍ କିଙ୍ଗ୍ଙ୍କ ନେତୃତ୍ୱରେ ପ୍ରାୟ ୧୦୦୦ ପ୍ରତିବାଦକାରୀ ଅନ୍ତଃରାଜ୍ୟ ରାଜପଥ ଅବରୋଧ କରି ନାରାବାଜି କରିଥିଲେ। ସେମାନେ ଜାଳିଦେଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ପୁଲିସ୍ର ଗୋଟିଏ ଗା଼ଡ଼ି ରହିଛି। ସେଇ ହତ୍ୟା ଅଭିଯୁକ୍ତ ଗୋରା ପୁଲିସ୍ ଅଧିକାରୀଙ୍କ ସମେତ ତିନି ଜଣ ପୁଲିସ୍ ଅଧିକାରୀଙ୍କୁ ସରକାର ଚାକିରିରୁ ବହିଷ୍କାର କରିଥିଲେ ବି ଉତ୍ତେଜନା ଥମିନାହିଁ। ନିହତ ଫ୍ଲଏଡ୍, ହଷ୍ଟନ୍ର ବାସିନ୍ଦା ଏବଂ ଏକ ନାଇଟ୍ କ୍ଲବ୍ରେ ନିରାପତ୍ତାରକ୍ଷୀ ଥିଲେ ଏବଂ ସେ ନକଲି ଡଲାର ଦେଇ ଦୋକାନରୁ ସିଗାରେଟ୍ କିଣୁଥିବା ବେଳେ ଧରା ପଡ଼ିଥିଲେ। ତାଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେବାରୁ ଏବେ ଆମେରିକାରେ ବିଦ୍ରୋହ କୁହୁଳିବାରେ ଲାଗିଛି।