ନୂଆଦିଲ୍ଲୀ: ନେପାଳ ବର୍ତ୍ତମାନ ରାଜନୈତିକ ଏବଂ ସାମାଜିକ ସଙ୍କଟ ସହିତ ସଂଘର୍ଷ କରୁଛି। ସୋମବାର ଆରମ୍ଭ ହୋଇଥିବା ଜେନ୍-ଜି ବିପ୍ଲବ ତୃତୀୟ ଦିନରେ ଟିକେ ଥଣ୍ଡା ପଡ଼ିଥିଲେ ବି ଶେଷ ହୋଇନାହିଁ। ସେନା ରାସ୍ତାକୁ ଓହ୍ଲାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ସୋମବାର ଆରମ୍ଭ ହୋଇଥିବା ଏହି ହିଂସା ମଙ୍ଗଳବ‌ାର ଆହୁରି ତୀବ୍ର ହୋଇଥିଲା। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ସହ ତାଙ୍କ ଦଳର ଅନେକ ନେତା ଇସ୍ତଫା ଦେଇ ସରକାରୀ ବାସଭବନ ଛାଡ଼ିଥିଲେ। ନେପାଳରେ ଏ‌ଭଳି ସରକାର ବିରୋଧୀ ପ୍ରଦର୍ଶନ ଚାଲିଥିବା ବେଳେ ଭାରତର ସମ୍ବିଧାନକୁ ନେଇ ଗର୍ବ ଅନୁଭବ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର. ଗଭାଇ। 

Advertisment

"ଆମେ ଆମର ସମ୍ବିଧାନ ପାଇଁ ଗର୍ବିତ। ସମସ୍ତେ ଦେଖୁଥିବେ ଯେ, ପଡୋଶୀ ଦେଶ ନେପାଳରେ କ'ଣ ଘଟୁଛି" ବୋଲି କହିଥିଲେ  ପ୍ରଧାନ ବିଚାରପତି ବିଆର ଗବାଇ। ଏହା ଶୁଣି ଜଷ୍ଟିସ୍ ବିକ୍ରମ ନାଥ୍ କହିଥିଲେ, "ବାଂଲାଦେଶରେ ମଧ୍ୟ।" ବିଧାନସଭାଗୁଡ଼ିକ ଦ୍ୱାରା ଗୃହୀତ ବିଲ୍‌ଗୁଡ଼ିକର ସମାଧାନ ପାଇଁ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ପାଇଁ କୋର୍ଟ ସମୟସୀମା ଧାର୍ଯ୍ୟ କରିପାରିବେ କି ନାହିଁ, ସେ ନେଇ ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏଭଳି କହିଥିଲେ। 

ଏହା ଶୁଣି ସଲିସିଟର ଜେନେରାଲ (ଏସଜି) ତୁଷାର ମେହେଟ୍ଟା ମଧ୍ୟ ବିତର୍କରେ ଅଂଶଗ୍ରହଣ କରିଥିଲେ। ସମ୍ବିଧାନର ଶକ୍ତି ଉପରେ ଗୁରୁତ୍ୱାରୋପ କରି ସେ ଭାରତରେ ଘୋଷଣା କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର ଉଲ୍ଲେଖ କରିଥିଲେ। ତୁଷାର ମେହେଟ୍ଟା କହିଥିଲେ, "ଯେତେବେଳେ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ, ଜନତା ତାଙ୍କୁ ଏପରି ଶିକ୍ଷା ଦେଇଥିଲେ ଯେ, କେବଳ କଂଗ୍ରେସ କ୍ଷମତାରୁ ହଟିନଥିଲା, ବରଂ ଇନ୍ଦିରା ଗାନ୍ଧୀ ମଧ୍ୟ ତାଙ୍କର ଆସନ ହରାଇଥିଲେ। ଏହା ପରେ ଆଉ ଏକ ସରକାର ଆସିଲା, କିନ୍ତୁ ଯେତେବେଳେ ଏହା ଜନସାଧାରଣଙ୍କୁ ସମ୍ଭାଳି ପାରିଲା ନାହିଁ, ସେହି ଜନତା ଇନ୍ଦିରା ଗାନ୍ଧୀଙ୍କୁ ପୁଣି କ୍ଷମତାକୁ ଆଣିଥିଲେ। ଏହା ଆମ ସମ୍ବିଧାନର ଶକ୍ତି। ଏହା ଏକ ରାଜନୈତିକ ଯୁକ୍ତି ନୁହେଁ, ବରଂ ସତ୍ୟ।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ, ନେପାଳରେ ୱାଇବର, ଟିକଟକ, ଭିଟକ ଏବଂ ନିମ୍ବୁଜ ଭଳି ପ୍ଲାଟଫର୍ମ ପଞ୍ଜିକୃତ ଅଛନ୍ତି । ଅନ୍ୟପଟେ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ପଞ୍ଜିକରଣ କରିନାହାନ୍ତି। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ, ଏହି ନିଷେଧ ସାରା ଦେଶରେ ଲାଗୁ ହେବ।

ଏହି ପ୍ରତିବନ୍ଧକ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍, ଟ୍ୱିଟର, ଲିଙ୍କଡିନ୍, ସ୍ନାପଚାଟ୍, ରେଡ୍ଡିଟ୍, ପିଣ୍ଟରେଷ୍ଟ, ସିଗନାଲ, ଥ୍ରେଡ୍ସ, ୱିଚାଟ୍, କ୍ୱାରା, ଟମ୍ବଲର ସମେତ ଅନ୍ୟାନ୍ୟ ପ୍ରମୁଖ ସୋସିଆଲ ମିଡିଆ  ପାଇଁ ଲାଗୁ କରାଯାଇଥିଲା। ଏହା ପରେ ରାସ୍ତାକୁ ଓହ୍ଲାଇଥିଲେ ଜେନ୍-ଜି। ବିରୋଧ ପ୍ରଦର୍ଶନ ତୀବ୍ର ହେବା ସହ ପ୍ରତିବାଦକାରୀ ସଂସଦ ଭବନ ସମେତ ସମସ୍ତ ସରକାରୀ ବାସଭବନକୁ ଜାଳି ଦେଇଥିଲେ। ବିକ୍ଷୋଭକାରୀଙ୍କ ଏକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଖାନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ହୋଇଥିଲା।