ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଗର୍ବିତ: ଋଷି ସୁନକ

ଲଣ୍ଡନ : ଇଂଲଣ୍ଡର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ପ୍ରକାଶିତ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ସେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଗର୍ବିତ।

ସୁନକ ଲିଜ୍ ଟ୍ରସ୍‌ଙ୍କ ସ୍ଥାନରେ ଯେଉଁଦିନ ପ୍ରଧାନମନ୍ତ୍ରୀ ହେଲେ ଠିକ୍ ସେହିଦିନ ଭାରତରେ ଦୀପାବଳି ପର୍ବ ପାଳନ କରାଯାଉଥିଲା। ସୁନକ ମଧ୍ୟ ତାଙ୍କ ସରକାରୀ ବାସଭବନରେ ଦୀପାବଳି ପାଳିଥିଲେ। ସୁନକ କହିଛନ୍ତି ସେ ପ୍ରତିବର୍ଷ ଦୀପାବଳି ପାଳନ୍ତି ଏବଂ ଯେତେବେଳେ ବୋରିସ ଜନସନଙ୍କ ଅର୍ଥମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ ପାଳୁଥିଲେ। ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ସେ ଗର୍ବିତ ବୋଲି କହିଥିଲେ।

ସୁନକ କହିଥିଲେ, ତାଙ୍କର ପୂର୍ବତନ ବସ୍ ବୋରିସ ଜନସନଙ୍କୁ ବାଟ ଛାଡ଼ିଦେବା ପାଇଁ ସେ ପ୍ରତିଯୋଗିତାରୁ ଓହରିବାକୁ ଚାହୁ ନ ଥିଲେ। ଟ୍ରସ୍‌ଙ୍କ ଇସ୍ତଫା ପରେ ପୁଣି ପ୍ରଧାନମନ୍ତ୍ରୀ ହେବା ପାଇଁ ଅଣ୍ଟା ଭିଡ଼ିଥିବା ଜନସନ ତାଙ୍କୁ ମନେଇପାରି ନ ଥିଲେ। ତେବେ ଏହି ସାକ୍ଷାତ୍‌କାରରେ ଲିଜ୍ ଟ୍ରସ୍‌ଙ୍କୁ ସେ ସିଧାସଳଖ ସମାଲୋଚନା କରି ନ ଥିଲେ, ଯାହାଙ୍କ ଭୁଲ ନୀତି ପାଇଁ ବ୍ରିଟେନରେ ଆର୍ଥିକ ସଂକଟ ଦେଖାଦେଇଥିଲା। ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ତାଙ୍କୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି କହିଛନ୍ତି ସୁନକ।

ସମ୍ବନ୍ଧିତ ଖବର