ନୂଆଦିଲ୍ଲୀ: ଆଜି ସକାଳେ ‘ଓବେରୟ ଗ୍ରୁପ୍’ର ଅଧ୍ୟକ୍ଷ ପୃଥ୍ବୀରାଜ ସିଂହ ଓବେରୟଙ୍କର ଦେହାନ୍ତ ହୋଇଯାଇଥିବା କଥା ଜାରି କରିଥିବା ବିବୃତିରେ ‘ଓବେରୟ ଗ୍ରୁପ୍’ କହିଛି।
ଭାରତୀୟ ହୋଟେଲ୍ ଶିଳ୍ପର ଜନକ ଭାବେ ସୁପରିଚିତ ଓବେରୟଙ୍କ ମୃତ୍ୟୁ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ଓବେରୟ ଗ୍ରୁପ୍’ କହିଛି, ଆଜି ପ୍ରତ୍ୟୁଷରେ ଓବେରୟ ଗ୍ରୁପ୍ର ‘ଚେୟାର୍ମ୍ୟାନ୍ ଇମିରିସସ୍’ ପି. ଆର୍. ଏସ୍. ଓବେରୟ ଶାନ୍ତିରେ ମୃତ୍ୟୁବରଣ କରିଥିବା କଥା ଗଭୀର ଦୁଃଖର ସହିତ ସୂଚନା ଦେଉଛୁ।
ଆଜି ଅପରାହ୍ଣ ୪ଟା ବେଳେ କାପଶେରା ଅନ୍ତର୍ଗତ ‘ଓବେରୟ ଫାର୍ମ’ରେ ଥିବା ‘ଭଗୱନ୍ତି ଓବେରୟ ଚାରିଟେବଲ୍ ଟ୍ରଷ୍ଟ୍’ରେ ତାଙ୍କର ଶେଷକୃତ୍ୟ କରାଯିବ।
କର୍ମଚାରୀମାନଙ୍କ ପ୍ରତି ଲେଖିଥିବା ଇ-ମେଲ୍ରେ ବିକ୍ରମ ଓବେରୟ କହିଛନ୍ତି, ଆମର ପ୍ରିୟ ନେତା ତଥା ଅଧ୍ୟକ୍ଷ ପି. ଆର୍. ଏସ୍. ଓବେରୟଙ୍କର ଆଜି ପ୍ରତ୍ୟୁଷରେ ଶାନ୍ତିପୂର୍ଣ୍ଣ ଦେହାନ୍ତ ହୋଇଥିବା କଥା ଆପଣମାନଙ୍କୁ ଗଭୀର ଦୁଃଖ ଓ ଶୋକର ସହିତ ଅବଗତ କରାଉଛି। ତାଙ୍କର ମୃତ୍ୟୁ ଯୋଗୁଁ ‘ଓବେରୟ ଗ୍ରୁପ୍’, ଭାରତ ଓ ବିଦେଶର ହୋଟେଲ୍ ଶିଳ୍ପର ପ୍ରଭୁତ୍ବ କ୍ଷତି ଘଟିଲା।
ଅନ୍ତର୍ଦୃଷ୍ଟିସମ୍ପନ୍ନ ପି. ଆର୍. ଏସ୍. ଓବେରୟଙ୍କ ଅଦମ୍ୟ ନିଷ୍ଠା ଓ ଆଗ୍ରହ ଯୋଗୁଁ ‘ଦି ଓବେରୟ ଗ୍ରୁପ୍ ଓ ଆମ ହୋଟେଲ୍ସବୁ’ ବିଶ୍ବର ଉତ୍କୃଷ୍ଟ ହୋଟେଲ୍ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଦେଶ ଓ ବିଦେଶର ହୋଟେଲ୍ ଶିଳ୍ପକୁ ତାଙ୍କର ଏଭଳି ଉଦ୍ୟମ ଖୁବ୍ ପ୍ରଭାବିତ କରିଛି ବୋଲି ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି।
ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପ ପ୍ରତି ଅସାଧାରଣ ଅବଦାନ ଲାଗି ପଦ୍ମ ବିଭୂଷଣ ସମେତ ପି. ଆର୍. ଏସ୍. ଓବେରୟଙ୍କୁ ବହୁ ପୁରସ୍କାର ଓ ସମ୍ମାନରେ ବିଭୂଷିତ କରାଯାଇଥିଲା। ଯୁକ୍ତରାଷ୍ଟ୍ର ଆମେରିକା ପତ୍ରିକା ‘ହୋଟେଲ୍ସ୍’ ମଧ୍ୟ ତାଙ୍କୁ ‘କର୍ପୋରେଟ୍ ହୋଟେଲିୟର୍ ଅଫ୍ ଦି ୱାର୍ଲଡ୍’ ପୁରସ୍କାର ପ୍ରଦାନ କରିଥିଲା।