ରାଜ୍ୟସଭାକୁ ମନୋନୀତ ହେଲେ ପିଟି ଉଷାଙ୍କ ସମେତ ୪ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୪ ଜଣ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ରାଜ୍ୟସଭାକୁ ମନୋନୀତ କରିଛନ୍ତି । ସେମାନେ ହେଲେ ଆଥଲେଟ୍ ପି.ଟି.ଉଷା, ସଂଗୀତଜ୍ଞ ଇଲୈୟା ରାଜା, ସମାଜସେବୀ ବୀରେନ୍ଦ୍ର ହେଗଡେ ଓ ଲେଖକ ବିଜୟେନ୍ଦ୍ର ପ୍ରସାଦ ।

ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପିଟି ଉଷାଙ୍କୁ ଅଭିନନ୍ଦନ ଜଣାଇ ମୋଦୀ ଲେଖିଛନ୍ତି ଜଣେ ଆଥଲେଟ୍ ଭାବେ ସେ ସବୁ ଭାରତୀୟଙ୍କ ପାଇଁ ପ୍ରେରଣା । କ୍ରୀଡ଼ା କ୍ଷେତ୍ରରେ ତାଙ୍କର ସଫଳତା ଯେତିକି ପ୍ରସଂଶନୀୟ, ନୂଆ ଆଥଲେଟ ଗଢିବାରେ ତାଙ୍କର ଉଦ୍ୟମ ସେତିକି ପ୍ରସଂଶନୀୟ । ସେ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ।

ସେହିପରି ସଂଗୀତଜ୍ଞ ଇଲୈୟା ରାଜାଙ୍କୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି ଯେ ନିଜର ସୃଜନଶୀଳତା ପାଇଁ ସେ ଅନେକ ପୀଢୀଙ୍କୁ ଅନୁପ୍ରାଣିତ ଓ ଆମୋଦିତ କରିଛନ୍ତି । ତାଙ୍କର ସଂଗୀତ ଅନେକ ଭାବକୁ ଦର୍ଶାଇଥାଏ । ଗୋଟିଏ ସାଧାରଣ ପରିବାରରୁ ଆସି ସଫଳତାର ଶିଖର ଛୁଇଁଥିବା ତାଙ୍କର ଜୀବନ କାହାଣୀ ମଧ୍ୟ ବେଶ ପ୍ରେରଣାଦାୟୀ ।

ଅନ୍ୟପକ୍ଷରେ ବୀରେନ୍ଦ୍ର ହେଗଡେ ସମାଜସେବା, ସ୍ବାସ୍ଥ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି । ସେ ସଂସଦୀୟ କାର୍ଯ୍ୟପ୍ରଣାଳୀକୁ ସମୃଦ୍ଧ କରିବେ ବୋଲି ମୋଦୀ ଲେଖିଛନ୍ତି । ସେହିପରି ଭି.ବିଜୟେନ୍ଦ୍ର ପ୍ରସାଦ ବିଗତ କିଛି ଦଶନ୍ଧୀ ଧରି କଳାଜଗତରେ ସକ୍ରିୟ ଅଛନ୍ତି । ତାଙ୍କର ଲେଖା ଭାରତୀୟ ସଂସ୍କୃତିକୁ ଦର୍ଶାଇଥାଏ । ସେ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ।

 

ସମ୍ବନ୍ଧିତ ଖବର